ରାୟଗଡ,୮/୬ : ରାୟଗଡ ଜିଲ୍ଳା ପ୍ରଶାସନ ଓ ଓରମାସ ତରଫରୁ ରାୟଗଡ ଠାରେ ଆୟୋଜିତ ତୃତୀୟ ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ ଉଦଯାପିତ ହୋଇଯାଇଛି । ୫ଦିନ ଧରି ଆୟୋଜିତ ଏହି ଆମ୍ବ ମହୋତ୍ସବରେ ୧୫ ମେଟ୍ରିକ ଟନରୁ ଉର୍ଦ୍ଧ ଆମ୍ବ ବିକ୍ରି ହୋଇଥିବା ଓରମାସ ପକ୍ଷରୁ ଜଣାଯାଇଛି । ଆମ୍ବ ଉତ୍ପାଦକ ଗୋଷ୍ଠୀ ତଥା ଆମ୍ବ ଚାଷୀମାନଙ୍କ ସହଯୋଗରେ ମହୋତ୍ସବର ସଫଳତାକୁ ନେଇ ଓରମାସ ଓ ପ୍ରଶାସନ ତରଫରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି । ସେହିପରି ଏହି ମହୋତ୍ସବରେ ଆଗାମୀ ବର୍ଷଗୁଡିକରେ ଆମ୍ବ ସମେତ ସପୁରୀ ଭଳି ଅନ୍ୟାନ୍ୟ ଫଳଗୁଡିକକୁ ନେଇ ମହୋତ୍ସବର ଆୟୋଜନ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବ ଷ୍ଟଲଗୁଡିକ ବୁଲି ଦେଖିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଳାର ଫଳ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ସଂଗୃହିତ ଆମ୍ବଗୁଡିକର ଉପଯୁକ୍ତ ବଜାରୀକରଣ ସୁବିଧା ଯୋଗାଇ ଦେବା ପାଇଁ ଓରମାସ ତଥା ପ୍ରଶାସନ ତରଫରୁ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଖୋଲିବାର ଯୋଜନା କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ ।
୧୫ମେଟ୍ରିକ ଟନ୍ ଆମ୍ବ ବିକ୍ରିରେ ୬ଲକ୍ଷ ୪୫ହଜାର ୯୬୫ଟଙ୍କାର ବ୍ୟବସାୟ
ରାୟଗଡ ସହରସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ୫ଦିନିଆ ଆମ୍ବ ମହୋତ୍ସବରେ ଜିଲ୍ଳାରୁ ଆମ୍ବଚାଷୀ ଓ ଉତ୍ପାଦକ ଗୋଷ୍ଠୀ ଭାଗ ନେଇଥିଲେ । ଆମ୍ବ ମହୋତ୍ସବରେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା,ରାୟଗଡ ଷ୍ଟଲରେ ୧୪.୪୫କ୍ୱିଂଟାଲ, ଜଳ ବିଭାଜିକା ଷ୍ଟଲର ୭.୫୦ କ୍ୱିଂଟାଲ, ଉଦ୍ୟାନ କୃଷିର ୩୯.୭୦ କ୍ୱିଂଟାଲ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକୋଣା ଓ ପାର୍ସାଲିର ୧୫.୫୦ କ୍ୱିଂଟାଲ, ଓଡିଶା ଜୀବିକା ମିଶନ ,ରାୟଗଡର ୧୦.୬ କ୍ୱିଂଟାଲ, ମିଶନ ଶକ୍ତି, ରାୟଗଡର ୧୯.୧୦ କ୍ୱିଂଟାଲ ଓ ଡିଏଫପିସିଏଲ, ରାୟଗଡାର ୫୩.୦୬ କ୍ୱିଂଟାଲ ସମୁଦାୟ ୧୫୯.୩୭ କ୍ୱିଂଟାଲ ଆମ୍ବ ବିକ୍ରି ହୋଇଥିବା ବେଳେ ୬ଲକ୍ଷ ୪୫ହଜାର ୯୬୫ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସର ସହକାରୀ ନିର୍ଦ୍ଦେଶକ ମନୋଜ ପାତ୍ର ସୂଚନା ଦେଇଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇