ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ନୂଆ-ଓ ଏବଂ ଯୁବ ଓଡିଶା କାର୍ଯ୍ୟକ୍ରମ ଅବସରରେ କେସିଙ୍ଗା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ୍ ଓ ୟୁଏଲବି (ଅର୍ବାନ ଲୋକାଲ ବଡ଼ି) ସ୍ତରୀୟ କ୍ରୀଡା ଉତ୍ସବ ସୋମବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ମଞ୍ଚରେ ଅନୁଷ୍ଠିତ ଉଦଯାପନୀ ସଭାରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା କୁ ଉତ୍ସାହିତ କରିବା ପାଇଁ ଯୁବ ଖେଳାଳି ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି ବୋଲି ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର ବାଗ ଓ କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘର ସଭାପତି ଅଶ୍ବିନୀ କୁମାର ପ୍ରଧାନ ମଞ୍ଚାସୀନ ହୋଇଥିଲେ। ବିଡିଓ ପଦ୍ମନାଭ ପୁରୋହିତ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ନୂଆ -ଓ ଏବଂ ଯୁବ ଓଡିଶାର କାର୍ଯ୍ୟକ୍ରମର କ୍ରୀଡା ଉତ୍ସବର ଉଦ୍ଦେଶ୍ୟ ଉପରେ ମତପୋଷଣ କରିଥିଲେ। ଉଦଯାପନୀ ସଭାକୁ ସଂଚାଳନ କରିଥିଲେ ଜ୍ଞାନେନ୍ଦ୍ର କୁମାର ଭୋଇ। ଉଦଯାପନୀ ଉତ୍ସବରେ ବିଜେତା ଓ ଉପବିଜେତା ଦଳର ନାମ ଘୋଷଣା କରାଯାଇଥିଲା ଏବଂ ସେମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ବେଳେ ନଗଦ ଅର୍ଥ ରାଶି କଳାହାଣ୍ଡି ଉତ୍ସବରେ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ପ୍ରକାଶ ଯେ, କେସିଙ୍ଗା ଏନ୍ଏସି ଫୁଟବଲ ଖେଳରେ ଚମ୍ପିୟାନ ହୋଇଥିବା ବେଳେ ପ୍ରଥମ ରନର୍ସ ଅପ୍ ଭାବେ ଲଇତରା ଫୁଟବଲ ଟିମ ଏବଂ ଦ୍ବିତୀୟ ରନର୍ସ ଅପ୍ ଭାବେ ପାଷ୍ଟିକୁଡି ଓ କାଣ୍ଡେଲ ହୋଇଥିଲା। କବାଡି ପୁରୁଷ ଦଳର ଖେଳରେ ଚତୁର୍ଥ ଦଳ ଭାବେ ପଥର୍ଲା ପଞ୍ଚାୟତ, ତୃତୀୟ ଦଳ ଭାବେ କନ୍ତେଶିର ପଞ୍ଚାୟତ ଏବଂ ରନର୍ସ ଅପ୍ ଭାବେ ବୋରିଆ ପଞ୍ଚାୟତ ହୋଇଥିବା ବେଳେ ଉତ୍କେଲା ପଞ୍ଚାୟତ ଚମ୍ପିୟାନ ହୋଇଥିଲା। ସେହିପରି ମହିଳା କବାଡି ଦଳ ଭାବେ କେସିଙ୍ଗା ଏନ୍ଏସି ଚମ୍ପିୟାନ ହୋଇଥିବା ବେଳେ କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ସ ଅପ୍ ହୋଇଥିଲା। ସେହିପରି ଖୋକୋ ପୁରୁଷ ଦଳରେ କେସିଙ୍ଗା ଏନ୍ଏସି ତୃତୀୟ ଓ ପରଲସିଙ୍ଗା ପଞ୍ଚାୟତ ଦ୍ଵିତୀୟ ବିଜେତା ଦଳ ହୋଇଥିଲା ଏବଂ ଉତ୍କେଲା ପଞ୍ଚାୟତ ଚମ୍ପିୟାନ ହୋଇଥିଲା। ମହିଳା ଖୋକୋ ଦଳରେ ପରଲସିଙ୍ଗା ଦଳ ଚମ୍ପିୟାନ ହୋଇଥିବା ବେଳେ ରନର୍ସ ଅପ୍ ଭାବେ କେସିଙ୍ଗା ଏନ୍ଏସି ହୋଇଥିଲା। ପୁରୁଷ ହକି ଦଳରେ କେସିଙ୍ଗା ସେଣ୍ଟର ରନର୍ସ ଅପ୍ ଏବଂ କେସିଙ୍ଗା ଏନ୍ଏସି ବିଦ୍ୟାପୀଠ ଚମ୍ପିୟାନ ହୋଇଥିଲା । ସେହିପରି ମହିଳା ହକି ଦଳରେ କଶୃପଡା ଦଳ ରନର୍ସ ଅପ୍ ଏବଂ କେସିଙ୍ଗା ବିଦ୍ୟାପୀଠ ଦଳ ଚମ୍ପିୟାନ ହୋଇଥିଲା। ପୁରୁଷ ଭଲିବଲ ଖେଳରେ ତୁର୍ଲାଖମନ ପଞ୍ଚାୟତ ଚତୁର୍ଥ ଏବଂ ଲଇତରା ଦଳ ତୃତୀୟ ବିଜେତା ଦଳ ହୋଇଥିଲା ବେଳେ ରନର୍ସ ଅପ୍ ସିରୋଲ ଏବଂ ଚମ୍ପିୟାନ କେସିଙ୍ଗା ଏନ୍ଏସି ଦଳ ହୋଇଥିଲା । କ୍ରିକେଟ୍ ଖେଳର ଫାଇନାଲ ମ୍ୟାଚ ହୋଇପାରି ନଥିବାରୁ ତାହା ଘୋଷଣା ହୋଇପାରି ନଥିଲା। ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖ ଦିନ କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦଘାଟିତ ହୋଇଥିଲା । କେସିଙ୍ଗା ବ୍ଲକ ଆନୁକୁଲ୍ୟରେ ତିନି ଦିନ ଧରି ହକି, ଭଲିବଲ, ଫୁଟବଲ, କବାଡି, ଖୋକୋ ଓ କ୍ରିକେଟ ଖେଳ କେସିଙ୍ଗା ବ୍ଲକ ଓ ସହରାଞ୍ଚଳର ଖେଳାଳୀ ମାନଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବିଡିଓ ପଦ୍ମନାଭ ପୁରୋହିତ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନନ୍ତ ଚରଣ ମହାଳିକ, କନିଷ୍ଠ ଯନ୍ତ୍ରୀ ଜଳେଶ୍ଵର ନାଏକ, ସୁବାଷ ନାଏକ, ବ୍ଲକ୍ ଯୋଗାଣ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁ ପ୍ରମୁଖଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ପିଇଓ, ଜିଆରଏସ୍ ତିନି ଦିନ ଧରି ଚାଲିଥିବା ସମସ୍ତ ଖେଳ ପ୍ରତିଯୋଗୀତାର ପରିଚାଳନା ସହଯୋଗ କରିଥିଲେ। ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର କ୍ରିକେଟ୍ ଖେଳ କେସିଙ୍ଗା ମିନି ଷ୍ଟାଡିୟମ ଏବଂ ଫୁଟବଲ ଖେଳ ଉତ୍କେଲା ମିନି ଷ୍ଟାଡିୟମରେ ହେଉଥିବା ବେଳେ ହକି, ଭଲିବଲ, କବାଡି ଓ ଖୋକୋ ଖେଳକୁ କେସିଙ୍ଗା ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଆୟୋଜନ କରାଯାଇଥିଲା। କେସିଙ୍ଗା ବ୍ଲକର ବିଭିନ୍ନ ହାଇସ୍କୁଲରୁ କ୍ରୀଡା ଶିକ୍ଷକ ମାନେ ଯୋଗଦାନ କରି ବିଭିନ୍ନ ଖେଳ ପ୍ରତିଯୋଗୀତା ପରିଚାଳନା ରେ ସହଯୋଗ କରିଥିଲେ।





