ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ, ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ତଥା ପରବାଙ୍ଗି ମହିମା ଆଶ୍ରମର ମଠାଧୀଶ ସାଧୁ ପ୍ରଭାକର ଦାସ ମହାରାଜ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ହେବ। ସମଗ୍ର ଦେଶବାସୀ ଏହି ଦିନକୁ ଅପେକ୍ଷା କରି ବସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ। ୨୦୨୪ ଜାନୁଆରୀ ୨୨ ତାରିଖରେ ଦିନ ୧୨.୩୦ରେ ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରହିଛି। ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସେହି କ୍ରମରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସାଧୁ ପ୍ରଭାକର ଦାସ ମହାରାଜଙ୍କୁ ନିମନ୍ତ୍ରଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମର ମଠାଧୀଶ ସାଧୁ ପ୍ରଭାକର ଦାସ ମହାରାଜ ସତ୍ୟ ସନାତନ ଧର୍ମଧାରାର ଜଣେ ବିଶିଷ୍ଟ ପ୍ରଚାରକ। ‘ଶ୍ରୀରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଅବସରରେ ମୋତେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଥିବାରୁ ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ଏହା ମୋର ପରମ ସୌଭାଗ୍ୟ ହେବ’ ବୋଲି ସାଧୁ ପ୍ରଭାକର ଦାସ ମହାରାଜ ପ୍ରକାଶ କରିଛନ୍ତି।