ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଘୋଷଣା ହେଲା ସମ୍ମାନ ଓ ପୁରସ୍କାର

ଭାଗୀରଥି ଦାସ ପାଇବେ ‘ସାହିତ୍ୟଶ୍ରୀ’, ସୁବ୍ରତ ସେନାପତି ‘ଉଦୟ ପ୍ରତିଭା ପୁରସ୍କାର’ ପାଇଁ ମନୋନୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଦିଆ ଯାଉଥିବା ବାର୍ଷିକ ପୁରସ୍କାର ଓ ସମ୍ମାନ ସଂପ୍ରତି ଘୋଷଣା କରାଯାଇଛି।ପରିଷଦ ଆନୁକୂଲ୍ୟରେ ଚଳିତ ଜାନୁଆରୀ ୧୪ ରୁ ୧୭ ତାରିଖ ଚାରିଦିନ ବ୍ୟାପୀ କଥାସମ୍ରାଟ ଫକୀରମୋହନଙ୍କ ୧୮୨ତମ ଜୟନ୍ତୀ ଓ ପରିଷଦର ୭୭ତମ ବାଷିର୍କ ଉତ୍ସବ ପାଳନ ଅବସରରେ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ୨୦ ଜଣ ଲବ୍ଧପ୍ରତିଷ୍ଠ ପ୍ରତିଭାଧରଙ୍କୁ ପୁରସ୍କୃତ ତଥା ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

ତଦନୁସାରେ ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ପରିଷଦର ସର୍ବୋଚ୍ଚ ପୁରସ୍କାର ‘ସାହିତ୍ୟଶ୍ରୀ’ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ଏବଂ ଯୁବସାହିତ୍ୟିକ ସୁବ୍ରତ କୁମାର ସେନାପତି ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଏତଦ୍‌ବ୍ୟତୀତ ଡ. କୈଳାସ ଚନ୍ଦ୍ର ଦାଶ (ସମାଲୋଚନା), ଡ. ମଥୁରାନାଥ ହୋତା (ପ୍ରବନ୍ଧ), ପିନାକୀ ମିଶ୍ର (କବିତା), କାର୍ତ୍ତିକ ଚନ୍ଦ୍ର ବାରିକ (ଗଳ୍ପ), ଡ. ପ୍ରଜ୍ଞା ପ୍ରବତ୍ତିର୍କା ଦାଶ (ଉପନ୍ୟାସ), ରାମଚନ୍ଦ୍ର ମିଶ୍ର (ନାଟକ), ଚିନ୍ତାମଣି ଦାସ (ଗୀତିକବିତା), ଡ. ଭଗବାନ ବେହେରା (ଅନୁବାଦ), ଶାନ୍ତନୁ ପାଣିଗ୍ରାହୀ (ହାସ୍ୟ ଓ ବ୍ୟଙ୍ଗ), ଡ. ହେମନ୍ତ ଛୋଟରାୟ (ଶିଶୁସାହିତ୍ୟ), ଡ. ସୁବାସ ଚନ୍ଦ୍ର ପାତ୍ର (ସମ୍ବାଦ ସାହିତ୍ୟ), ଡ. ଅଭୟ ନାୟକ (ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର), କମଳାକାନ୍ତ ଦାଶ (ସାହିତ୍ୟ ସଂଗଠନ), କୃଷ୍ଣ ନାୟକ (ପତ୍ରିକା ସଂପାଦନା), ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ (ସାହିତ୍ୟିକ ଓ ସମାଜସେବୀ), ଡ. ବିଜୟଲକ୍ଷ୍ମୀ ପଟ୍ଟନାୟକ (ଆଧ୍ୟାତ୍ମିକ ସାହିତ୍ୟ), ବିଜୟ ପଟ୍ଟନାୟକ (ଭ୍ରମଣ ସାହିତ୍ୟ)ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନପୂର୍ବକ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଏ ବର୍ଷ ପାଇଁ ଫକୀରମୋହନ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ଡ. ଭରତଚନ୍ଦ୍ର ପାତ୍ରଙ୍କୁ ‘ପରିଷଦ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ଚାରିଦିନ ବ୍ୟାପି ସାହିତ୍ୟ ସଭା, ବିଭିନ୍ନ ପ୍ରତିଯୋଗିତା, ସଙ୍ଗୀତ ବିଚିତ୍ରା ଓ ନାଟକ ମଞ୍ଚସ୍ଥ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ପରିଷଦ ତରଫରୁ ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ସମ୍ପାଦକ ଦୀପକ ବୋଷ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.