ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି: ରାତ୍ର ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ କରି ଗଲେ ଜେଲ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜ଼ିଲ୍ଲା ସଇଁତଲା ଥାନା ବ୍ଲକ କଲୋନୀରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ରାତ୍ରି ଜଗୁଆଳିକୁ ମରଣାନ୍ତକ ଭାବେ ଆକ୍ରମଣ କରିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଓ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେବା ଅଭିଯୋଗରେ ଡେଙ୍ଗ ସରପଞ୍ଚଙ୍କ ସ୍ୱାମୀଙ୍କୁ ମହଙ୍ଗା ପଡିଛି। ଏନେଇ ସଇଁତଲା ଥାନା କେସ ନଂ ୦୬/୨୪ ରେ ଭାରତୀୟ ପିଙ୍ଗଳ କୋଡ଼ ନଂ ୨୯୪, ୩୨୩, ୫୦୬, ୩୪ ଆଇପିସି ୩ ଏସସି / ଏସଟି ଦଫାରେ ମାମଲା ରୁଜୁ ହୋଇଅଛି। ଏଥିରେ ଗିରଫ ଅଭିଯୁକ୍ତ ହେଲେ ଡେଙ୍ଗ ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ (୪୦) ଓ ତାଙ୍କ ସହଯୋଗୀ ବବୁଲୁ ରଣା (୩୪)ଙ୍କୁ ପୋଲିସ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ଗତ ୩ ତାରିଖ ବୁଧବାର ଦିନ ରାତି ୯ଟା ୧୫ରେ କନିଷ୍ଠ ଯନ୍ତ୍ରୀଙ୍କ ରାତ୍ର ଜଗୁଆଳି ସୁମନ୍ତ ଭୋଇ (୫୪) କ୍ୱାଟରକୁ ଯାଉଥିବା ବେଳେ ସଇଁତଲା ତହସିଲଦାରଙ୍କ ସରକାରୀ ବାସଭବନ ସମ୍ମୁଖରେ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ ଓ ଅନ୍ୟ ଜଣେ ସହଯୋଗୀ ଗାଁ ସାଥିଙ୍କ ସ୍ୱାମୀ ବବୁଲୁ ରଣା ମିଶି ନିସ୍ତୁକ ମାଡ଼ ମାରିଥିଲେ। ଏହି ଗଣ୍ଡଗୋଳ ସମୟରେ ତହସିଲଦାର ବାସଭବନକୁ ଫେରୁଥିବା ବେଳେ ତାଙ୍କ ଡ୍ରାଇଭର ଗାଡି ଅଟକାଇବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ ବୋଲି ରାତ୍ରି ଜଗୁଆଳି ଶ୍ରୀ ଭୋଇ ସଇଁତଲା ଥାନାରେ ଲିଖିତ ଏତଲାରେ ଉଲ୍ଲେଖ କରିଛନ୍ତି। ଉକ୍ତ ମାମଲାକୁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ଏପଟେ ଜଣେ ରାତ୍ରି ଜଗୁଆଳିଙ୍କୁ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.