ସମାଜସେବୀ ମଧୁ ମହାନ୍ତିଙ୍କ କଳମପୁର ଗସ୍ତ

ଓଡ଼ିଆ ବାର୍ତ୍ତା/ କଲମପୁର(ଶରତ ଚନ୍ଦ୍ର ସୁନାନି): ଅଜସ୍ର ମା’ ଭଉଣୀ ଓ ଯୁବଗୋଷ୍ଠୀ କଳାହାଣ୍ଡି ବିକାଶର ସ୍ବପ୍ନ ଦେଖିଥିବା ମୋ’ ନଜରରେ ଦେଖିବାକୁ ପାଇଛି। ୨୦ ବର୍ଷ ଆଗରୁ ମଧ୍ୟ କଳାହାଣ୍ଡି ବିକାଶ ମୋର ଏକମାତ୍ର ଲକ୍ଷ ରହିଥିଲା, ଆଜି ମଧ୍ୟ ମୋ’ କଳାହାଣ୍ଡିର ବିକାଶ ଏକମାତ୍ର ଲକ୍ଷ ରହିଛି। ନିର୍ବାଚନ ସମୟରେ ନିଜର ବହୁମୂଲ୍ୟ ଭୋଟ୍ କୁ ପାଞ୍ଚ ଶହ ଟଙ୍କାରେ ବିକ୍ରୀ କରିବା ନାଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମ୍ମାନର ସହ ପ୍ରଶ୍ନ ପଚାରିବା। ସେଥିପାଇଁ ‘ପାଞ୍ଚ ଦିନ ନାଁ ପାଞ୍ଚ ବର୍ଷ’ ତାହା ବାଛିନେବା ଆପଣଙ୍କ ହାତରେ ରହିଛି ବୋଲି କଳମପୁର ମିନି ଷ୍ଟାଡିୟମଠାରେ ଆୟୋଜିତ ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମଧୁ ମହାନ୍ତି ଯୋଗଦେଇ ଉପରୋକ୍ତ ଆହ୍ବାନ ଦେଇଥିଲେ। ଶ୍ରୀ ମହାନ୍ତି କଳମପୁର ପହଞ୍ଚିବା ପରେ ସ୍ଥାନୀୟ ତହସିଲ ଆଫିସ କାର୍ଯ୍ୟାଳୟ ନିକଟରୁ ତାଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ଭର୍ଦ୍ଧନା ଦିଆଯାଇଥିଲା। ସେଠାରୁ ଏକ ବିଶାଳ ସମାବେଶରେ ବାହାରିଥିବା ବେଳେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଶ୍ରୀମହାନ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମିନି ଷ୍ଟାଡିୟମର ସମାବେଶରେ ଯୋଗଦେଇ ଥିଲେ। ଏହା ଆଗରୁ ଶୋଭାଯାତ୍ରାରେ କଳାହାଣ୍ଡିର ବିରବାଦ୍ୟ ଘୁମୁରାର ହୃଦ୍ କମ୍ପନ ଧ୍ବନିରେ ତାଙ୍କୁ ମଞ୍ଚ ନିକଟରେ ମହିଳା ମାନେ ପୁଷ୍ପବୃଷ୍ଟି କରିବା ସହ ପାଛୋଟି ଆଣିଥିଲେ। ପ୍ରଥମେ ଜାତୀୟ ସଂଗୀତ ଗାନ କରି ଶ୍ରୀ ମହାନ୍ତି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। କଳମପୁର ମାଟି ବିପ୍ଳବର ମାଟି, ଏହି ମାଟି କାହାକୁ ହାତପାତି ମାଗେନି, ଏହି ମାଟି ସ୍ବାଭିମାନର ସହିତ ବଞ୍ଚିବା ଶିଖିଛି, କଳାହାଣ୍ଡି ମାଟି ମୋତେ ବହୁତ କିଛି ଦେଇଛି, ମୁଁ ନେବାକୁ ଆସି ନାହିଁ ଦେବାକୁ ଆସିଛି, ମା’ ମାନଙ୍କ ହୁଲହୁଳି ଓ ଆଶ୍ରିବାଦ ମୋ ଉପରେ ଅଛି, କେବେ ତାଙ୍କ ଏହି ଆଶ୍ରିବାଦକୁ ପାସେରି ଯାଇ ପାରିବି ନାହିଁ, ତା’ଙ୍କ ଋଣ ଶୁଝିବି ବୋଲି ମତବ୍ୟକ୍ତ କରିଥିଲେ। ଏହି ସମାବେଶର କୋକସରା, ଜୟପାଟଣା, ଥୁଆମୁଲ ରାମପୁର ସମେତ କଳମପୁର ବ୍ଳକର ବିଭିନ୍ନ ସ୍ଥାନରୁ ଶତାଧିକ ମହିଳା ଓ ଯୁବଗୋଷ୍ଠୀ ସାମିଲ ହୋଇଥିଲେ। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.