ପାଣ୍ଡିଆ ଗ୍ରାମରେ ପୁଣି ଏକ ହତ୍ୟାକାଣ୍ଡ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଥିବା ବେଳେ ଯୁବକମାନଙ୍କୁ ଟାର୍ଗେଟ ରଖି ହତ୍ୟା କରାଯାଉଛି। ଶିକୁଳା ଗ୍ରାମର ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢ଼ୁଶୁର ହତ୍ୟାର ଏକ ସପ୍ତାହ ନ ପୂରୁଣୁ ପୁଣି ଶୁକ୍ରବାର ରାତିରେ ପାଣ୍ଡିଆ ଗ୍ରାମରେ ଘରେ ପଶି ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ଅତି ନିର୍ମମଭାବେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି। ମୃତକ ହେଲେ ପାଣ୍ଡିଆ ଗ୍ରାମ ପନ୍ଦରା ସାହିର ମୁନା ଓରଫ ମୁରଲୀ ବାଡ଼ତ୍ୟା (୨୩)। ରାତିରେ ମୁରଲୀ ଏବଂ ତାଙ୍କ ବାପା ବାବୁଲା ବାଡ଼ତ୍ୟା ସବୁଦିନ ଭଳି ଖାଇ ପିଇ ଘରେ ଶୋଇଥିଲେ। ବର୍ତମାନ ଅତ୍ୟଧିକ ଗରମ ହେଉ ଥିବାରୁ ବାପା ଘର ବାରଣ୍ଡାରେ ଶୋଇଥିଲେ ଏବଂ ପୁଅ କବାଟ ଖୋଲା ରଖି ଘର ଭିତରେ ଶୋଇଥିଲେ। ଗରମ ଯୋଗୁଁ ବାବୁଲାଙ୍କ ନିଦ ଭାଙ୍ଗିବା ପରେ ସେ ପାଣି ପିଇବା ଲାଗି ଘର ଭିତରକୁ ଯିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ପଡିଥିବା ଦେଖି ତାଙ୍କର ପାଦ ତଳୁ ମାଟି ଖସି ଯାଇଥିଲା। ସାହିପଡିଶା ଲୋକଙ୍କୁ ଡାକି ୧୦୮ ଆମ୍ବୁଲାନ୍ସଙ୍କୁ ଫୋନ କରି ସେ ଆସିବା ପରେ ହିଞ୍ଜିଳି ମେଡିକାଲକୁ ନେଇଥିଲେ। ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ, ଆଇଆଇସି ବିପିନ ବିହାରୀ ହୋତା ଓ ଅନ୍ୟାନ୍ୟ ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ପାଣ୍ଡିଆ ଗାଁରେ ଶୋକର ଛାୟା ଖେଳି ଯାଇଛି। ଅନ୍ୟପକ୍ଷେ ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ମୃତଦେହ ଜବତ କରିଛି। ମୁରଲୀଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ପାଣ୍ଡିଆ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗୁରୁବାର ପାଣ୍ଡିଆ ଗ୍ରାମରେ ଦଣ୍ଡନାଚ ହେଉଥିଲା। କିଛି ଯୁବକ ନାଚ ଦେଖିବାକୁ ଯାଇ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଫଳରେ ଏହାକୁ ପାଣ୍ଡିଆ ଗ୍ରାମର କିଛି ଲୋକଙ୍କ ସହ ମୁରଲୀ ମଧ୍ୟ ବାରଣ କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତାପରେ ଯୁବକଙ୍କ ସହ ହାତା ହାତି ହୋଇଥିଲା। ଫଳରେ ପ୍ରତିଶୋଧ ପରାୟଣ ହୋଇ ଯୁବକମାନେ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି। ତେବେ ପୋଲିସର ତଦନ୍ତ ପରେ ହତ୍ୟା କାଣ୍ଡର ଫର୍ଦା ଫାସ ହେବା ସହିତ ପ୍ରକୃତ ଦୋଷୀ ଧରା ପଡିବ ବୋଲି ସମସ୍ତେ ଆଶାବାଦୀ ହୋଇ ରହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.