ପୌରାଞ୍ଚଳ ୱାର୍ଡ଼ କୋର୍ଡିନେଟରମାନଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ତିନି ଦଫା ଦାବିରେ ଆସନ୍ତା ଜୁଲାଇ ୨୯ ବିଧାନସଭା ଚାଲ ଅଭିଯାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସହରାଞ୍ଚଳ ନାଗରିକ ମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ଓ ସହାୟତା ଯୋଗାଇଦେବା ପାଇଁ ମିଶନ୍ ଶକ୍ତି ଗ୍ରୁପ ମାନଙ୍କ ଦ୍ୱାରା ଚୟନ କରାଯାଇଥିବା ୱାର୍ଡ଼ କୋର୍ଡିନେଟର ମାନଙ୍କୁ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜନ କରାଯାଉନି କିମ୍ବା ଦରମା ଦିଆଯାଉନି ବୋଲି ଅଭିଯୋଗ କରି ଆଜି ସାରା ରାଜ୍ୟରେ ୱାର୍ଡ଼ କୋର୍ଡିନେଟର ମାନେ ପ୍ରତିବାଦ କରିଛନ୍ତି। ନିଖିଳ ଓଡ଼ିଶା ପୌର ୱାର୍ଡ଼ କୋର୍ଡିନେଟର ୟୁନିଅନ୍‌ର ଡ଼କରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ୱାର୍ଡ଼ କୋର୍ଡିନେଟର ମାନେ ବିଭିନ୍ନ ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ସମ୍ମୁଖରେ ବିକ୍ଷୋଭ କରିବା ସହ ତିନି ଦଫା ଦାବି ନେଇ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ସେମାନଙ୍କର ଚାକିରୀ ଜନିତ ଅନିଶ୍ଚିତତାକୁ ଦୂର କରି କାର୍ଯ୍ୟରେ ନିୟୋଜିତ କରିବା ଦାବିରେ ଆସନ୍ତା ଜୁଲାଇ ୨୯ ତାରିଖ ଦିନ ବଜେଟ୍ ଅଧିବେଶନ ସମୟରେ ବିଧାନସଭା ଘେରାଉ କରାଯିବ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ପ୍ରକାରେ ସହରାଞ୍ଚଳ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇବାକୁ ଚୟନିତ ହେବା ପରେ ୱାର୍ଡ଼ କୋର୍ଡିନେଟର ମାନେ ପ୍ରାୟ ଏକ ବର୍ଷ ଧରି ଏକରକମ ଅନିଶ୍ଚିତତା ଓ ମାନସିକ ଚିନ୍ତା ମଧ୍ୟରେ ରହିଛନ୍ତି। ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜିତ କରି ନ ଥିଲେ ମଧ୍ୟ ରାଜ୍ୟର ଅନେକ ୟୁଏଲ୍‌ବିରେ ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ଅନଔପଚାରିକ ଭାବେ ବିନା ଦରମାରେ ମାସ ମାସ ଧରି ନିୟୋଜିତ କରିଛନ୍ତି। ୟୁଏଲ୍‌ବି ପକ୍ଷରୁ ହୋଲଡ଼ିଂ ଟିକସ ଆଦାୟ ଠାରୁ ଆରମ୍ଭ କରି ନୂତନ ଭୋଟର ପରିଚୟ ପତ୍ର ଓ ରାସନ କାର୍ଡ଼ ପ୍ରସ୍ତୁତି, ଟ୍ରେଡ଼୍ ଲାଇସେନ୍ସ୍‌, ମାସିକ ଭତ୍ତା ବଣ୍ଟନ, ନୂତନ ଏସ୍‌ଏଚ୍‌ଜି ଗଠନ, ଏସ୍‌ଏଚ୍‌ଜି ଗୃପ ମାନଙ୍କର ଡ଼ାଟା ଏଂଟ୍ରି, ପରିମଳ ଅନୁଧ୍ୟାନ, ଷ୍ଟ୍ରିଟ୍ ଲାଇଟ୍ ଅନୁଧ୍ୟାନ, ଗ୍ରେ ୱାଟର ନୋଟିସ୍ ବଣ୍ଟନ, ପିଏଚ୍‌ଡ଼ି ପାଣି ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ, ଆଇଏଚ୍‌ଏଲ୍ ସର୍ଭେ ଆଦି ବିଭିନ୍ନ ପ୍ରକାର ସରକାରୀ ସେବାରେ ନିୟୋଜିତ କରାଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରତି ମାସରେ ନିଜର ନିର୍ଦ୍ଧାରିତ ଦରମା ବା ପାରିତୋଷିକ କଥା ଛାଡ଼ନ୍ତୁ ଟଙ୍କାଟିଏ ବି ଦିଆଯାଉନି ବୋଲି ଅଭିଯୋଗ କରିଛି ସଙ୍ଘ। ୟୁଏଲବିର ନିର୍ବାହୀ ଅଧିକାରୀମାନେ ତୁମର ଦରମା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ବା ଚିଠି ଆସିନି ବୋଲି କହି ଏଡ଼େଇ ଚାଲିଛନ୍ତି।

ଏଭଳି ପରିସ୍ଥିତିରେ ୱାର୍ଡ଼ କୋର୍ଡିନେଟର ଭାବେ ନିୟୋଜିତ ରାଜ୍ୟର ସହସ୍ରାଧିକ ଶିକ୍ଷିତ ଯୁବତୀ ନିଜର ୟୁନିଅନ୍ ମାଧ୍ୟମରେ ଗତ ମାସରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି। ଏହି ପରିପ୍ରେକ୍ଷୀରେ ସେମାନେ ନିଜର ନ୍ୟାୟ ସଙ୍ଗତ ଦାବିକୁ ପୁଣିଥରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଚଳିତ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ୨୯ ତାରିଖ ଦିନ “ବିଧାନସଭା ଚାଲ” ଅଭିଯାନର ଡ଼ାକରା ଦେବାକୁ ବାଧ୍ୟ ହୋଇଛନ୍ତି। ଆଜି ୟୁନିଅନ୍ ପକ୍ଷରୁ ଏନଏସି, ପୌରପାଳିକା ସମ୍ମୁଖରେ ନିଜ ଦାବୀ ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରି ନିର୍ବାହୀ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ନିଜର ଦାବୀକୁ ମନେପକାଇ ଦେବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ୩ ଦଫା ଦାବୀ ଗୁଡିକ ହେଲା ୧. ରାଜ୍ୟର ସମସ୍ତ ୟୁଏଲ୍‌ବିର ୱାର୍ଡ଼ କୋର୍ଡିନେଟର ମାନଙ୍କୁ ତୁରନ୍ତ ବିଧିବଦ୍ଧ ଭାବେ ତାଙ୍କ ପାଇଁ ନିର୍ଦ୍ଧାରିତ କାମରେ ନିୟୋଜିତ କରାଯାଉ ୨. ୱାର୍ଡ଼ କୋର୍ଡିନେଟର ମାନଙ୍କ ଦରମା ସମ୍ପର୍କରେ ରହିଥିବା ସମସ୍ତ ଅସ୍ପଷ୍ଟତାକୁ ଦୂର କରି ପ୍ରତି ମାସରେ ନିର୍ଦ୍ଧାରିତ ଦରମାକୁ ନିୟମିତ ଭାବେ ପ୍ରଦାନ କରାଯାଉ ଏବଂ ୩. ଯେଉଁ ୟୁଏଲବି ମାନେ ପୂର୍ବରୁ ୱାର୍ଡ଼ କୋର୍ଡିନେଟର ମାନଙ୍କୁ କାମରେ ନିୟୋଜିତ କରି କୌଣସି ପାରଶ୍ରମିକ ବା ଦରମା ଦେଇନାହାନ୍ତି, ସେମାନଙ୍କୁ ତୁରନ୍ତ ନିଜସ୍ୱ ପାଣ୍ଠିରୁ ଉପରୋକ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.