🖋ଡିଲେଶ୍ୱର ରଣା
ଆ’ ବୋଲି କହିବାକୁ ଆଉ ଜୁ’
ନାହିଁ ମୋର
ଆଜିଠୁ ଏଇ ମୁହୂର୍ତ୍ତରୁ ମୋ ଜୀବନର
ପ୍ରତିଟି ସେକେଣ୍ଡରେ ତୁ ଅକ୍ଷତ, ଅଜର-ଅମର।
ଏମିତି ନାଇଁ ଯେ କେବେ
ମିଛ କହିନାଇଁ, ଗୀତ ଫାନ୍ଦିନାଇଁ, ଗପ ଲେଖିନାଇଁ
ମୋ ହୃଦୟରେ ଅର୍ଜିଥିବା ପ୍ରେମକୁ ତୋର ବୋଲି ହିଁ
ସଅଁପି ଦେଇନାଇଁ ତୋ ହାତରେ
ବୋଧହୁଏ ସେଥିପାଇଁ ପାପ ବୋଲି
ଫିଙ୍ଗିଦେଲୁ ରାତି ଅଧରେ, ବାଲିଗୁଡ଼ାରେ।
ମୋର ବୋଲି କହିବାକୁ
ଯେତକ ସମୟ ଅଜାଡ଼ି ଦେଇଥିଲୁ ମୋ’ ସ୍ୱାର୍ଥରେ
ଅନାୟାସରେ ଯାଚିଦେଇଥିଲୁ ତୋ ଅତ୍ମୀୟପଣ
ଏବେ ଲାଗୁଛି ସେତକ ହିଁ ମୂଳଧନ
ଆଉ କେଇ ମିନିଟ ପରେ ମୁଁ
ଭୋଗିବି ବିସ୍ଥାପନ,
ତୋ ସିଂଥି ଆଗରେ ଗୋଟେ ମହମହ ଦର୍ପଣ।
ତୋର ସଜବାଜ ସେତିକି ଥାଉ
ଅନ୍ଧାର ଚିରିକି ଥରେ ଉକିଆ ଦେଖ୍ ନା
କେଉଁଠି ନା କେଉଁଠି ଦିଶୁଥିବ
ଡଙ୍ଗର କି ଝରଣା, ନହେଲେ ମୋ ଗାଲରେ ତୁ
ଲେସିଦେଇଥିବା ଛେନାପୋଡର ବାସ୍ନା।
ଆଉ ସାତ ସେକେଣ୍ଡ ପରେ
ବଦଳି ଯିବ ତୋ ପ୍ରେମର ମାଲିକାନା
ତୋର ହସକାନ୍ଦ, ଭଲମନ୍ଦ
ରାଗରୁଷା, ମାନ ଅଭିମାନ ଉପରେ ଥିବ
କେବଳ ଜଣକ ଅଧିକାର
ମୋ’ ପ୍ରେମରେ ସେବେଳକୁ ଲାଗିସାରିଥିବ ଜିଜିୟା କର।
କେଜାଣି କୁଆଡ଼େ ଗଲା ଆଜି ମୋର ପ୍ରେମିକପଣ
କୋଉଠି ହଜିଲା ମୋ’ ପ୍ରେମର ସାତଖଣ୍ଡ ରାମାୟଣ
କେମିତି ସରିଗଲା ତୋର ବର ଚୟନ
ଜାଣିପାରୁନି ମୁଁ କିଏ: କୃଷ୍ଣ ନା କର୍ଣ୍ଣ!
ବେଶି ମୁଣ୍ଡ ଖାଇବିନି ତୋର
ଯା’ ଅଏସ୍ କର, ଖୁସିରେ ଘର ସଂସାର କର।
ଠିକ ରାତି ବାରଟାରେ ମୁଁ ଏବେ
ଭବାନୀପାଟଣା କଲେଜ ଛକରେ
କହ ତ?
ତତେ ଶେଷଥର ଲାଗି ପ୍ରେମ କରିବା ପାଇଁ ୟା ଠୁ
କ’ଣ ଭଲ ସମୟ ମିଳିପାରେ!
ମୁଁ ଏବେ ମୋ ରୁମକୁ ଚାଲିଲି ସୁନ୍ଦରୀ
ସତ ମିଛ ବୁଝି ଦେଇପାରୁ
ଗାଳି କି ହୁଳହୁଳି।
ସତ କହିବାକୁ ଗଲେ
ମୁଁ କେବେ ତତେ ହରେଇବାକୁ ଚାହୁଁନଥିଲି
ତୁ କେବେ ମତେ ପାଇବାକୁ ଚାହୁଁନଥିଲୁ
ବିଦ୍ୟାରାଣ, ତୁ ଜମ୍ମାରୁ ପ୍ରେମ କରୁନଥିଲୁ!