କଟନି ଛଟନିକୁ ନେଇ ଚାଷୀଙ୍କ ଧାରଣା: ଘଟଣାସ୍ଥଳରେ ପହଞ୍ଚିଲେ ନର୍ଲା ବିଧାୟିକା, ଆନ୍ଦୋଳନରୁ ଓହରିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଉଦଘାଟିତ ହୋଇ ଆରମ୍ଭ ହୋଇଛି ଧାନ କିଣା। ତେବେ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର କୃଷକ ଗ୍ରେନ ଏନାଲାଇଜର ମେସିନରେ ଧାନର ମାନ ସଠିକ ନ ଆସିବା ଏବଂ କଟନି ଛଟନି ଉପରେ ଅସନ୍ତୋଷ ବ୍ୟକ୍ତ କରବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଗତ ୨ ତାରିଖରୁ କର୍ଲାମୁଣ୍ଡା ଅଞ୍ଚଳରେ ଧାନ ବିକ୍ରିକୁ ନେଇ ଦେଖା ଦେଇଥିଲା ଚାଷୀଙ୍କ ଉତ୍ତେଜନା। ଏପଟେ ଗତ କିଛି ଦିନ ହେଲା ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଚାଷୀ ଏହାକୁ ଭୃକ୍ଷେପ ନକରି ମଣ୍ଡିରେ ପଡ଼ି ରହିଛି। ସରକାର ଧାନ କ୍ରୟ ପ୍ରକ୍ରିୟାକୁ ଜଟିଳ କରି ଦେଇଛନ୍ତି। ଦୋଛକିରେ ପଡ଼ିଛି ଚାଷୀ। ଏସବୁକୁ ଦୃଷ୍ଟିରେ ରଖି ରବିବାର ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଚାଷୀ ଓ ମିଲର୍ସ ମାନଙ୍କ ସହ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଶୀଘ୍ର ମିଲର୍ସ ମାନଙ୍କୁ ମଣ୍ଡିରୁ ଧାନ ଉଠେଇବାକୁ କହିଥିଲେ ନର୍ଲା ବିଧାୟିକା। ଏହାପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଥିବା ଜଣାପଡିଛି। ଏହି ସମୟରେ କଳାହାଣ୍ଡି ଉପଜିଲ୍ଲାପାଳ ପ୍ରଭାତ ପରିଡା, ଅତିରିକ୍ତ ଯୋଗାଣ ଅଧିକାରୀ, ରାମପୁର ପୋଲିସ ପ୍ରଶାସନ ସମେତ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.