ଦୁଃଖୀଶ୍ୟାମ ପ୍ରଧାନ ସ୍ମୃତି ସମ୍ମାନରେ ସମ୍ମାନିତ ହେଲେ ଯୁବକବି ପ୍ରଶାନ୍ତ ଦାଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ଏସ୍.ଏସ୍. ଇଣ୍ଟର୍‌ନ୍ୟାସ୍‌ନାଲ୍ ହୋଟେଲ୍ ସମ୍ମିଳନୀ କକ୍ଷରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଦାସିଆ ସାଂସ୍କୃତିକ ପରିଷଦ’ର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସାରସ୍ବତ ସମାରୋହ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମର ଯୁବକବି ପ୍ରଶାନ୍ତ କୁମାର ଦାଶଙ୍କୁ ସାରସ୍ବତ ସାଧନା ପାଇଁ “ଦୁଃଖୀଶ୍ୟାମ ପ୍ରଧାନ ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ କୁମାର ଦାଶ ଜଣେ ପ୍ରତିଥଯଶା କବି ଭାବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚିତ ଓ ପରିଚିତ । ଏଯାବତ୍ ତାଙ୍କର ଚାରିଟି କବିତା ସଂକଳନ ‘ଗୋଟେ କପ୍ କବିତା’, ‘ଝର୍କାରୁ ପୃଥିବୀ’, ‘ମା’ ମୋତେ କ୍ଷମା କରିଦେବୁ’ ଓ ‘ଶୂନ୍ୟୋତ୍ସବ’ ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇପାରିଛି । ପ୍ରଶାନ୍ତ କୁହନ୍ତି ‘ଜୀବନ ଜିଇଁବାକୁ ହେଲେ ଅମ୍ଳଜାନ ଯେତିକି ଜରୁରୀ, କବିତା ମୋ ପାଇଁ ସତିକି’ । କବି ଶ୍ରୀ ଦାଶ ପୂର୍ବରୁ ଜୀବନବାଦୀ କବି ସମ୍ମାନ, ଶବ୍ଦ ସମ୍ମାନ, ଉଦୟରାଗ ସମ୍ମାନ, ସଂଯୋଗୀ ଯୁବ ପ୍ରତିଭା ସମ୍ମାନ, ପେନ୍ ଇନ୍ ବୁକ୍ସ ଯୁବ ଲେଖକ ସମ୍ମାନ, କାବ୍ୟଯାତ୍ରା ସମ୍ମାନ, ମହାମଞ୍ଚ ସାରସ୍ବତ ସାଧକ ସମ୍ମାନ, କବିଶ୍ରୀ ସମ୍ମାନ, ସୌରଭ ସାହିତ୍ୟ ସମ୍ମାନ ସହ ଅନେକ ପ୍ରତିଷ୍ଠିତ ସାହିତ୍ୟାନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ଏକ ଅଗ୍ରଣୀ ଅନୁଷ୍ଠାନରୁ ଏହି ସାହିତ୍ୟ ସମ୍ମାନ ମିଳିଥିବାରୁ ବିଭିନ୍ନ ମହଲରୁ ପ୍ରଶାନ୍ତଙ୍କୁ ଶୁଭେଚ୍ଛା ଲହରୀ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.