ପଲମ ମହଗାଁ କଲୋନୀ ପଡ଼ାର ନଳକୂଅ ଭାଙ୍ଗିଦେଲେ ଜଙ୍ଗଲି ହାତୀପଲ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ପଲମ ମହଗାଁ କଲୋନୀ ପଡାରେ ରହିଥିବା ନଳ କୂଅକୁ ବଣୁଆ ହାତୀପଲ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ନର୍ଲାର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଥିବା ବେଳେ ଫସଲ ଧ୍ବଂସ କରି ଚାଷୀଙ୍କୁ ନୟାନ୍ତ କରି ସାରିବା ପରେ ବିଲରେ ଫସଲ ସରିଯିବା ପରେ ଏବେ ବିଲରୁ ସାହିମୁହଁ ହେଉଛନ୍ତି ହାତୀପଲ। ବାଡି ବଗିଚାରୁ କାନ୍ଦୁଲ, ଶିମ୍ବ, ଭେଣ୍ଡି, ବାଇଗଣ ଖାଇବା ପାଇଁ ଗାଁ ଭିତରକୁ ଧସେଇ ପଶୁଛନ୍ତି ଏବଂ ଗାଁ ଭିତରେ ଘର ଦ୍ଵାର, ନଳକୂଅ ଭାଙ୍ଗି ଉତ୍ପାତ ମଚାଉଛନ୍ତି। ଏହି କ୍ରମରେ ଗୁରୁବାର ରାତିରେ ପଲମ ଗ୍ରାମ ପଞ୍ଚାୟତର ମହଗାଁ କଲୋନୀ ପଡାରେ ପଶି ଉତ୍ପାତ କରି କଲୋନୀ ପଡ଼ା ବାସୀଙ୍କ ପାନୀୟ ଜଳର ଏକମାତ୍ର ମାଧ୍ୟମକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଗାଁ ଲୋକଙ୍କ ଠାରୁ ଖବର ପାଇ ନର୍ଲା ଆରଡବ୍ଲୁଏସଏସ ବିଭାଗ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ନିଜ ଷ୍ଟାଫ୍ ମାନଙ୍କୁ ପଠେଇ ତୁରନ୍ତ ମରାମତି କରି ପାଣି ବାହାରିବା ଯୋଗ୍ୟ କରିଥିଲେ। ତୁରନ୍ତ ପୁଣି ପାନୀୟ ଜଳର ବ୍ୟବସ୍ଥା କରିଥିବାରୁ ବିଭାଗକୁ ଓ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀଙ୍କୁ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.