ଦିନେ ଅବହେଳା ଓ ଅଭାବର ଅନ୍ଧକାରରେ ରହୁଥିବା କଳାହାଣ୍ଡି ଆଜି ବିକାଶର ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଗତି କରୁଛି। ସମାଜର ଅନେକ ନାୟକ ନାୟିକା ଏହି ପରିବର୍ତ୍ତନରେ ଅବଦାନ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଏକ ପ୍ରମୁଖ ସ୍ୱର ହେଉଛନ୍ତି ମନୀଷା ମିଶ୍ର, ଯିଏ ନିଜ ହୃଦୟର ଯନ୍ତ୍ରଣାକୁ ହାତର ଶକ୍ତି କରି ସମାଜସେବାକୁ ବ୍ରତ କରିଛନ୍ତି। ନିଜର ଅକ୍ଳାନ୍ତ ପ୍ରୟାସ, ନିଃସ୍ୱାର୍ଥପର ସେବା ଓ ଦୃଢ଼ ନିଷ୍ଠା ମାଧ୍ୟମରେ ସେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଜଣେ ସମାଜସେବୀ ନୁହଁନ୍ତି ବରଂ ସଂଘର୍ଷ, ସେବା ଓ କରୁଣାର ଜ୍ୱଳନ୍ତ ସ୍ୱର ପାଲଟି ଯାଇଛନ୍ତି ସେ।
ଦୁଃଖର ଦାବାନଳ : ସେବା ପାଇଁ ସଂକଳ୍ପ
ଯିଏ ନିଜେ ଦୁଃଖ ଭୋଗିଛି, ସେ ହିଁ ଅନ୍ୟର ଦୁଃଖରେ ସମଦୁଃଖି ହୋଇପାରେ। ମନୀଷାଙ୍କ ଜୀବନ ମଧ୍ୟ ସଂଘର୍ଷରେ ପରିପୂର୍ଣ୍ଣ। ସେ ନିଜ ଦୁଃଖର ଦାବାନାଳରୁ ହିଁ ଅନ୍ୟର ସେବା କରିବାର ସଂକଳ୍ପ ନେଇଥିଲେ। ଦୁଃଖ ଓ ଅଭାବର ଅଥଳ ଗଣ୍ଡରେ ବୁଡ଼ି ରହିଲେ ଆଉ ସାହାଯ୍ୟର ଆବଶ୍ୟକତା ଥିଲାବେଳେ ପାଖରେ କେହି ନ ଥିଲେ କେମିତି ଅନୁଭବ ହୁଏ, ତାହା ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି। ସେଇଥିପାଇଁ ବୋଧେ ଯେତେବେଳେ ଜଣେ ଅସହାୟ ବ୍ୟକ୍ତି ତାଙ୍କ ପାଖକୁ ଆସେ, ସେ କେବଳ ତାକୁ ସାହାଯ୍ୟ କରନ୍ତି ନାହିଁ ବରଂ ତାଙ୍କ ଦୁଃଖରେ ସମଦୁଃଖି ମଧ୍ୟ ହୁଅନ୍ତି।
ବାହାରୁ କଠିନ, ଭିତରରୁ ନରମ
କାହାକୁ ରକ୍ଷା କରିବା ପାଇଁ ବେଳେବେଳେ କଠୋର ହେବାକୁ ହୁଏ; କିନ୍ତୁ ସେବା କଲା ବେଳେ ପ୍ରେମର କୋମଳତା ମଧ୍ୟ ଜରୁରୀ। ମନୀଷା ନାରିକେଳ ଫଳ ଭଳି ବାହାରୁ ଯେତେ କଠୋର ଦେଖାଯାଆନ୍ତି, ଭିତରେ ସେ ସେତିକି କୋମଳ ହୃଦୟର। ସେ କରୁଣା ଓ ଦୃଢ଼ତାର ଏକ ବିରଳ ସମନ୍ୱୟ। ଏକ ପକ୍ଷରେ ତାଙ୍କ ହୃଦୟ ଅସହାୟଙ୍କ ପାଇଁ ତରଳିଯାଏ, ଅନ୍ୟ ପକ୍ଷରେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ପଥର ପରି ଠିଆ ହୁଅନ୍ତି। ତାଙ୍କର ଏହି ଗୁଣ ତାଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ଯେତେବେଳେ ଗରିବ, ଚାଷୀ, ଶ୍ରମିକ, ମହିଳା କିମ୍ବା ଛାତ୍ରଛାତ୍ରୀଙ୍କ ଦୁଃଖର କଥା ଆସେ; ସେ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତି।
ଶିକ୍ଷୟତ୍ରୀରୁ ସମାଜସେବୀ
ମନୀଷା ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ସମାଜ ପ୍ରତି ତାଙ୍କର ଗଭୀର ସମ୍ବେଦନଶୀଳତା ତାଙ୍କୁ ଏକ ନୂତନ ପଥକୁ ନେଇଗଲା। ଆଜି ସେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ଭାବେ କାର୍ଯ୍ୟରତ ଥାଇ ସମାଜର ପ୍ରତ୍ୟେକ ବର୍ଗ ପାଇଁ କାମ କରୁଛନ୍ତି। “ଶିକ୍ଷା କେବଳ ପୁସ୍ତକରେ ନୁହେଁ, ଜୀବନର ଅଭିଜ୍ଞତାରେ ମଧ୍ୟ ଅଛି।” ଏହି ଦର୍ଶନକୁ ଗ୍ରହଣ କରି ସେ ଗରିବ ପିଲାମାନଙ୍କ ପାଇଁ ଏକ ଶୈକ୍ଷିକ ଅଭିଯାନ ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଅନେକ ପିଲାଙ୍କ ଫିସ୍, ବହି ଆଦି ବ୍ୟବସ୍ଥା କରିଛନ୍ତି ଏବଂ ଏବେ ବି ତାଙ୍କ ଘର ପାଖରେ ରହୁଥିବା ଅସହାୟ ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି।
ପରିବେଶ ସୁରକ୍ଷାରେ ଅବଦାନ
ପରିବେଶଗତ ସଙ୍କଟ ପ୍ରସଙ୍ଗରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ବେଳେ ୨୦୧୭ ମସିହାରେ ମନୀଷା ଧର୍ମଗଡ଼ରେ ଦଶ ହଜାରରୁ ଅଧିକ ଚାରା ରୋପଣ କରିଥିଲେ। ଏହା କେବଳ ଏକ ପ୍ରୟାସ ନୁହେଁ ବରଂ ପ୍ରକୃତି ପ୍ରତି ତାଙ୍କର ଗଭୀର ସମ୍ବେଦନଶୀଳତା ତଥା ସମାଜ ପ୍ରତି ଉତ୍ତରଦାୟିତ୍ୱକୁ ପ୍ରତିଫଳିତ କରେ।
ଶ୍ରମିକ ଓ କୃଷକଙ୍କ ପ୍ରତି ସମ୍ବେଦନା
ଯିଏ ଯନ୍ତ୍ରଣାକୁ ବୁଝେ, ସେ ତାହାର ସମାଧାନ ଖୋଜି ପାଏ। ମନୀଷା ଗରିବ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ ଯୋଜନାରେ ସରକାରୀ ସୁବିଧା ପାଇବାରେ ସାହାଯ୍ୟ କରିଛନ୍ତି। ତାଙ୍କର ପ୍ରୟାସ ଯୋଗୁଁ ଶହ ଶହ ଶ୍ରମିକ ସରକାରୀ ଯୋଜନାର ଲାଭ ପାଇଛନ୍ତି, ଯାହା ସେମାନଙ୍କୁ ସ୍ୱାବଲମ୍ବୀ କରିପାରିଛି। ସେ ଚାଷୀଙ୍କ ପାଇଁ ମଧ୍ୟ ବିଶେଷ ପ୍ରୟାସ କରିଛନ୍ତି। ତାଙ୍କ ଉଦ୍ୟମର ଫଳ ସ୍ୱରୂପ ଏକଫସଲି ଶୁଷ୍କ ଅଞ୍ଚଳରେ ଉଠା ଜଳସେଚନ ପଏଣ୍ଟ ସ୍ଥାପନ କରିବା ପାଇଁ ସରକାର ବିଚାର କରୁଛନ୍ତି, ଯାହା ଚାଷୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।
ମହିଳା ସଶକ୍ତିକରଣ : ଜୀବନର ଲକ୍ଷ୍ୟ
ଯଦି ମହିଳାମାନେ ସଶକ୍ତ ହୁଅନ୍ତି, ତେବେ ସମଗ୍ର ସମାଜର ପରିବର୍ତ୍ତନ ଅବଶ୍ୟମ୍ଭାବୀ। ଏହି ଚିନ୍ତାଧାରା ସହିତ, ମନୀଷା ମିଶନ ଶକ୍ତି ଅଧୀନରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ଏହି ପଦକ୍ଷେପ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଦେଇଛି। ସେ କେବଳ ସାହାଯ୍ୟ କରନ୍ତି ନାହିଁ, ବରଂ ସେମାନଙ୍କୁ ଲଢ଼ି ନିଜ ଗୋଡ଼ରେ ଠିଆ ହେବା ପାଇଁ ଶକ୍ତି ମଧ୍ୟ ଦିଅନ୍ତି।
ସ୍ୱାସ୍ଥ୍ୟସେବା : ଜୀବନ ରକ୍ଷା ପାଇଁ ପ୍ରତିବଦ୍ଧତା
ମନୀଷା ସମାଜର ପ୍ରତ୍ୟେକ ଲୋକଙ୍କ ଯନ୍ତ୍ରଣାକୁ ଅନୁଭବ କରନ୍ତି। ସେଥିପାଇଁ ସେ ଅନେକ ରକ୍ତଦାନ ଶିବିର ଆୟୋଜନ କରିଥିବା ବେଳେ ନିଜେ ମଧ୍ୟ ଅନେକଥର ରକ୍ତଦାନ କରିଛନ୍ତି। ସେ ଗରିବ ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ପହଞ୍ଚାଇବା ଏବଂ ମମତା ଯୋଜନାର ଲାଭ ଯୋଗାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
କଳା ସଂସ୍କୃତି ଓ କ୍ରୀଡ଼ାକୁ ପ୍ରୋତ୍ସାହନ
କଳା ସଂସ୍କୃତି ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ମନୀଷା କେବଳ ଜଣେ ସମାଜସେବୀ ନୁହଁନ୍ତି ବରଂ କଳା, ସାହିତ୍ୟ ଓ ସଂସ୍କୃତିର ଜଣେ ପୃଷ୍ଠପୋଷକ ମଧ୍ୟ। କଳାହାଣ୍ଡି ଉତ୍ସବ ଓ ସୁରଭି କାର୍ଯ୍ୟକ୍ରମକୁ ସଫଳ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହା ବ୍ୟତୀତ, ସେ ନିଜ ଅଞ୍ଚଳରେ ଭଲିବଲ୍, ଫୁଟବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାମାନ ଆୟୋଜନ କରନ୍ତି, ଯାହାଦ୍ଵାରା ଯୁବପିଢ଼ି କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ପାଆନ୍ତି।
ସମ୍ମାନ ଓ କୃତିତ୍ୱ
ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ୨୦୨୧ ମସିହାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ୍ ୟୁଥ୍ ଅର୍ଗାନାଇଜେସନ୍ ତାଙ୍କୁ ନାରୀ ସଶକ୍ତିକରଣ କ୍ଷେତ୍ରରେ ସମ୍ମାନିତ କରିଛି। ୨୦୨୨ ମସିହାରେ ତାଙ୍କୁ ଧର୍ମଗଡ଼ ସାହିତ୍ୟ ସଂସଦ ଦ୍ୱାରା କବୟିତ୍ରୀ ଭାବରେ ସମ୍ମାନିତ କରାଯାଇଥିଲା।
ଚାଲିବି ଚାଲିବି ନପଡିବି ଥକି
ମନୀଷା ମିଶ୍ରଙ୍କ ଜୀବନ କେବଳ ସଫଳତାର କାହାଣୀ ନୁହେଁ ବରଂ ନିରନ୍ତର ଯାତ୍ରାର ଏକ ଅନନ୍ୟ ଉଦାହରଣ। ସେ ଅଟକିବା କିମ୍ବା ଥକିଯିବାରେ ବିଶ୍ୱାସ କରନ୍ତି ନାହିଁ, କାରଣ ତାଙ୍କର ଏବେ ବି ଲକ୍ଷ୍ୟ ଅନେକ, ସ୍ୱପ୍ନ ଅନେକ ଏବଂ ସମାଜ ପାଇଁ ଅଗଣିତ କାମ କରିବାକୁ ବାକି ଅଛି। ସେଥିପାଇଁ ସେ ଆମେରିକୀୟ କବି ରବର୍ଟ ଫ୍ରଷ୍ଟଙ୍କ ଅମର ପଂକ୍ତି “ଆଗରେ ପଡିଛି ପଥ ବହୁଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନପଡିବି ଥକି ମୁଦିବା ଆଗରୁ ଆଖି”କୁ ଜୀବନର ଧ୍ୟେୟ କରିଛନ୍ତି।
ମହିଳାଙ୍କ ପାଇଁ ପ୍ରେରଣା
ଯେଉଁ ବ୍ୟକ୍ତି ନିଜେ ସଂଘର୍ଷରୁ ଆଗକୁ ବଢ଼ିଛନ୍ତି, ସେ ହିଁ ଅନ୍ୟମାନଙ୍କ ପାଇଁ ସହାୟକ ହୋଇପାରିବ। ଏହି ଚିନ୍ତାଧାରାର ଏକ ଜୀବନ୍ତ ଉଦାହରଣ ହେଉଛନ୍ତି ମନୀଷା ମିଶ୍ର। ସେ ଦୁଃଖକୁ ନିଜର ଶକ୍ତି ଏବଂ ସମାଜସେବାକୁ ନିଜ ଜୀବନର ଲକ୍ଷ୍ୟ କରିଛନ୍ତି। ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମନୀଷା ମିଶ୍ରଙ୍କ ଭଳି ମହିଳାମାନେ ଆମକୁ ପ୍ରେରଣା ଦେବେ ନିଶ୍ଚୟ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏଭଳି ନାରୀଶକ୍ତିକୁ ଶତ ପ୍ରଣାମ!