ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁନଗାଁ ଗ୍ରାମରେ ପାନୀୟ ଜଳ ପାଇଁ ତୀବ୍ର ଅସନ୍ତୋଷ ସହ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ବର୍ଷ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ, ଗ୍ରାମରେ ଦେଖାଦେଇଥିବା ଘୋର ଜଳାଭାବ ସ୍ଥାନୀୟ ବାସିନ୍ଦାଙ୍କ କଷ୍ଟକୁ ଦ୍ଵିଗୁଣିତ କରିଦେଇଛି। ଗାଁରେ ଥିବା ସୌର ଚାଳିତ ଜଳ ପ୍ରକଳ୍ପଟି ଦୀର୍ଘ ୩ ମାସ ହେବ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ସଜାଡ଼ିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ତୁନଗାଁ ଗ୍ରାମରେ ପ୍ରାୟ ୬ ଗୋଟି ପଡ଼ା ରହିଥିବା ବେଳେ ମୋଟ ଜନସଂଖ୍ୟା ୨ ହଜାରରୁ ଊର୍ଦ୍ଧ୍ୱ ହେବ। ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ହୋଇଥିବା ଦୁଇଟି ସୌର ଚାଳିତ ପ୍ରକଳ୍ପ ମଧ୍ୟରେ ଆଇଁଲି ଯିବା ରାସ୍ତାର ଗାଁ ମୁଣ୍ଡରେ ଥିବା ଏକ ସୌର ଚାଳିତ ଜଳ ପ୍ରକଳ୍ପଟି ବିଗତ ୩ ମାସ ହେବ ବନ୍ଦ ଥିବାରୁ ଏବେ ସମଗ୍ର ଗ୍ରାମ କେବଳ କେତେକ ନଳକୂପ ଉପରେ ନିର୍ଭର କରୁଛନ୍ତି। ମାତ୍ର ଭୂତଳ ଜଳସ୍ତର ହ୍ରାସ ପାଇବା ହେତୁ ଏହି ନଳକୂପ ଗୁଡ଼ିକରୁ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ। ଫଳରେ ଟୋପେ ପାଣି ସଂଗ୍ରହ କରିବା ପାଇଁ ମହିଳାମାନଙ୍କୁ ପ୍ରଖର ଖରାରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡୁଛି। ପାଣି ନିମନ୍ତେ ଲୋକଙ୍କୁ ଦୂର ଦୂରାନ୍ତରୁ ଜଳ ସଂଗ୍ରହ କରିବାକୁ ଯିବାକୁ ପଡୁଥିବା ବେଳେ, ନଳକୂପ ପାଖରେ ପାଣି ପାଇଁ ଦୈନନ୍ଦିନ ମହିଳାମାନଙ୍କ ମଧ୍ୟରେ କଳି-ଝଗଡ଼ା ଓ ବାଦବିବାଦ ସୃଷ୍ଟି ହେଉଥିବା ଏବଂ ଗତ କିଛି ଦିନ ତଳେ ପ୍ରଖର ତାତି ଯୋଗୁଁ ପାଣି ନେବାକୁ ଆସିଥିବା ଜଣେ ମହିଳା ଅଚେତ୍ ହୋଇଥିବା ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ଋତୁ ପୂର୍ବରୁ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଅଚଳ ସୌର ପ୍ରକଳ୍ପକୁ ମରାମତି କରିବା ପାଇଁ ଗ୍ରାମର ମୀନାକ୍ଷୀ ଠାକୁର, ଝରଣା ଶବର, ସୋନାଲୀ ଶବର, ସରୀତା ଶବର, ଜେମା ପାଣିଗ୍ରାହୀ, ମାଧୁରୀ କର, ମାଧୁରୀ ପାଣିଗ୍ରାହୀ ପ୍ରମୁଖ ସମେତ ଗ୍ରାମବାସୀ ଦାବି କରିଛନ୍ତି। ଏ ବିଷୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଏଇ ଙ୍କୁ କହି ସେଠାକୁ ପଠାଯିବ, ଏବଂ କ’ଣ ସମସ୍ୟା ହେଉଛି ତା’ପରେ ଶୀଘ୍ର ମରାମତି କରି ଜଳ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।





