କାଠମାଣ୍ଡୁରେ ଆନ୍ତର୍ଜାତୀୟ ଏଭରେଷ୍ଟ ସମିଟର ସମିଟ: ମେଡାଲ ସହିତ ସମ୍ବର୍ଦ୍ଧିତ ହେଲେ ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ

ଓଡ଼ିଆ ବାର୍ତ୍ତା/ କାଠମାଣ୍ଡୁ: ନେପାଳର କାଠମାଣ୍ଡୁଠାରେ ବିଶ୍ବସ୍ତରୀୟ ଏଭରେଷ୍ଟ ଆରୋହଣକାରୀ ମାନଙ୍କର ‘ଏଭରେଷ୍ଟ ସମିଟର ସମିଟ’ ଅନୁଷ୍ଠିତ ହୋଇଯାଇଛି। ଏଭରେଷ୍ଟ ଏଲାଏନସ ନାମକ ସଂସ୍ଥା ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବର କୋଣ ଅନୁକୋଣଠାରୁ ଏଭରେଷ୍ଟ ଆରୋହୀ ମାନେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାର ପ୍ରତିନିଧିତ୍ବ କରି କଳାହାଣ୍ଡି ଜିଲ୍ଲା ରୁପ୍ରାର ଗ୍ରାମର ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସମସ୍ତ ଏଭରେଷ୍ଟ ଆରୋହୀମାନେ ଏକାଠି ରାତ୍ରିଭୋଜନ ସହ ପରସ୍ପର ମଧ୍ଯରେ ବନ୍ଧୁତା ଆଲୋଚନା କରିଥିଲେ। ପରେ ଏଭରେଷ୍ଟ ସମିଟର ସମିଟ ମେଡାଲ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ଦୀର୍ଘ ୧୫ ବର୍ଷ ପରେ ନେପାଳ ଦେଶର କାଠମାଣ୍ଡୁରେ ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଏଭରେଷ୍ଟ ଅଭିଯାନ ଯାତ୍ରାର ଅନୁଭୁତି ବାଣ୍ଟି ଥିଲେ। ପରଦିନ ନେପାଳ ଦେଶର ରାଷ୍ଟ୍ରପତି ମହାମହିମ ରାମଚନ୍ଦ୍ର ପାଉଡେଲ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ସମସ୍ତ ଏଭରେଷ୍ଟ ସମିଟର ମାନଙ୍କ ସହିତ ଜଳଖିଆ କରିଥିଲେ ଯେଉଁଠାରେ ରାଷ୍ଟ୍ରପତିଙ୍କଠାରୁ ମଧ୍ଯ ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ ସମ୍ମାନିତ ହୋଇଥିଲେ। ପରେ ନେପାଳର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନେ ଯୋଗଦାନ କରି ୧୯୯୫ ମସିହାରୁ ୨୦୨୫ ପର୍ଯ୍ୟନ୍ତ ଏଭରେଷ୍ଟ ଆରୋହୀମାନଙ୍କୁ ମାନପତ୍ର, ରୁଦ୍ରାକ୍ଷ ସହିତ ସମିଟର ମେଡାଲ ଦେଇ ସମ୍ମାନିତ କରିଥିଲେ ଯେଉଁଠାରେ ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କୁ ୨୦୧୧ ମସିହାରେ ସଫଳତାର ସହିତ ଏଭରେଷ୍ଟ ଆରୋହଣ କରିଥିବାରୁ ତାଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଆନ୍ତର୍ଜାତିକ ସ୍ତରର ବିଶେଷ କାର୍ଯ୍ୟକ୍ରମରେ ଓଡିଶାରୁ ଜଣେମାତ୍ର ଏଭରେଷ୍ଟ ଆରୋହୀ ଭାବରେ ଯୋଗଦାନ କରିବା ସହିତ ସମ୍ବର୍ଦ୍ଧିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ହିମାଳୟନର ସୁରକ୍ଷା, ବିଶ୍ବଜଳବାୟୁ ପରିବର୍ତ୍ତନ, ଏଭରେଷ୍ଟ ଆରୋହୀମାନଙ୍କର ସୁବିଧା ସୁଯୋଗ, ମହିଳା ପର୍ବତାରୋହୀମାନଙ୍କର ଭୂମିକା, ପର୍ଯ୍ୟଟନର ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ବିଧିବଦ୍ଧ ନିଷ୍ପତି ପାଇଁ ସ୍ଥିର ହୋଇଥିଲା। ଏଭରେଷ୍ଟ ଏଲାଏନସର ସଭାପତି ସୁଦର୍ଶନ ନେପାଳ ଓ ସମ୍ପାଦକ ସହିତ ଅଫିସିଆଲମାନେ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ପରିଚାଳନା ସହିତ ଏଭରେଷ୍ଟ ଆରୋହୀମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଶ୍ରୀ ଭୋଇ ୩୨ ଥର ମାଉଣ୍ଟ ଏଭରେଷ୍ଟ ଆରୋହଣକାରୀ କରି ଗିନିଜ ବୁକ ଅଫ ରେକର୍ଡ ତଥା ଆନ୍ତର୍ଜାତିକ ରେକର୍ଡଧାରୀ ନେପାଳ ଦେଶର କାମରିତା ସେରପାଙ୍କ ସହିତ ତୁର୍କି, ଚୀନ, ଇଂଲଣ୍ଡ, ରୁଷିଆ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜାପାନ, ଆମେରିକା ସହିତ ଅନେକ ଦେଶର ଏଭରେଷ୍ଟ ଆରୋହଣକାରୀ ମାନଙ୍କ ସହିତ ସାକ୍ଷାତ ହୋଇ ବିଭିନ୍ନ ଦୁଃସାହସିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ସହିତ ଓଡିଶାରେ ମଧ୍ଯ ପର୍ବତାରୋହୀମାନଙ୍କର ଏକ ବୈଠକ ସହିତ ଏହି ବର୍ଷ ମାଉଣ୍ଟ ଏଭରେଷ୍ଟ ବେସ କ୍ଯାମ୍ପ ଏକ ଦଳ ଆଣିବାପାଇଁ ପଦକ୍ଷେପ ନେବେ ବୋଲି ଶ୍ରୀଭୋଇ ପ୍ରକାଶ କରିଛନ୍ତି। ଏଥିପାଇଁ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଜାତୀୟସ୍ତରର ବରିଷ୍ଠ ପର୍ବତାରୋହୀ ରୋମାଞ୍ଚଳ ଭୋଇ, ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପର୍ବତାରୋହୀ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଘନଶ୍ୟାମ ବେହେରା, ନାଭାଲ ଅଫିସର ନଳୀନିକାନ୍ତ ରଣା, କେନ୍ଦ୍ରସାହିତ୍ଯ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଲେଖକ ଡିଲେଶ୍ବର ରଣା, ସାମ୍ବାଦିକ ଅଜୟ ସେନାପତି, ବରିଷ୍ଠ ସାମ୍ବାଦିକ ସତ୍ଯନାରାୟଣ ମହାପାତ୍ରଙ୍କ ସହିତ ଅନେକ ଗଣ୍ଯମାନ୍ଯ ବ୍ଯକ୍ତି ତାଙ୍କର ଟିମର ଦୁଃସାହସିକ କ୍ରୀଡା ଛାତଛାତ୍ରୀମାନେ ତଥା ସମଗ୍ର ଜିଲ୍ଲା ତଥା ରାଜ୍ୟରେ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.