ନର୍ଲା ଲୋକୋମୋଟିଭ ପିରିଓଡ଼ିକାଲ ଓଭରହଲିଂ କାରଖାନା ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଅଞ୍ଚଳରେ ଖୁସିର ଲହରୀ : ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ କଳାହାଣ୍ଡି ଲୋକସଭା ସାଂସଦ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଚପଟ ଖଣ୍ଡାରେ ହେବାକୁ ଥିବା ଲୋକୋମୋଟିଭ ପିରିଓଡ଼ିକାଲ ଓଭରହଲିଂ କାରଖାନା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଜାଣିବା ପରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ପାଖାପାଖି ୮ କୋଟି ଟଙ୍କାର ମାଟିକାମ ଓ ଟ୍ରାକ ନିର୍ମାଣ ପାଇଁ ପୋଲ ଗୁଡ଼ିକର କାମ ନିମନ୍ତେ ଟେଣ୍ଡର ଆହ୍ବାନ କରିଛି ଇଷ୍ଟ କୋଷ୍ଟ ରେଳ ବିଭାଗ। ୨୦୧୧ ମସିହାରେ ସୁଶ୍ରୀ ମମତା ବାନାର୍ଜୀ ରେଳ ମନ୍ତ୍ରୀ ରହିଥିବା ବେଳେ କଳାହାଣ୍ଡିରେ ରେଳ ୱାଗନ କାରଖାନା ନିର୍ମାଣ ପାଇଁ ସଂସଦ ରେ ବିଲ ଗୃହୀତ ହୋଇଥିଲା। କିନ୍ତୁ ବିଜେଡ଼ି ରାଜ୍ୟ ସରକାର ଶାସନ ସମୟରେ ଏହା ଉପରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇ ପ୍ରସ୍ତାବିତ କାରଖାନା ଟି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ସୀତାପଲ୍ଲୀ କୁ ଚାଲିଯାଇଥିଲା। ଏହା ପରେ ବିଦ୍ୟୁତ ଇଞ୍ଜିନ ମରାମତି କାରଖାନା ପାଇଁ ନର୍ଲାର ଚପଟ ଖଣ୍ଡା ଅଞ୍ଚଳ ବିଭାଗ ତରଫରୁ ସର୍ଭେ କରାଯାଇଥିଲା। ତାପରେ ରାଜ୍ୟ ବିଜେଡ଼ି ସରକାର ଓ କେନ୍ଦ୍ର ବିଜେପି ସରକାର ମଧ୍ୟରେ ଜମି ପ୍ରଦାନ କୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଲା। ନର୍ଲା ରେଳ ନିର୍ମାଣ ସଂଗ୍ରାମ ସମିତି ତରଫରୁ କାରଖାନା ନିର୍ମାଣ ପାଇଁ ଆନ୍ଦୋଳନ ଧର୍ମଘଟ ଭଳି ସଂଗ୍ରାମ ଜାରି ରହିଥିଲା। ଲୋକମୋଟିଭ କାରଖାନା ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଅଞ୍ଚଳ ବାସୀଙ୍କ ଆଶା ମଉଳି ଯାଇଥିଲା। ଠିକ ଏହି ସମୟରେ ଗତବର୍ଷ ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ ତାରିଖ ୨୦୨୪ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତ କରି ୧୯,୬୦୦ କୋଟି ଟଙ୍କାର ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କ୍ରମରେ ନର୍ଲାରେ ପ୍ରସ୍ତାବିତ ଲୋକୋମୋଟିଭ୍ କାରଖାନାର ମଧ୍ଯ ଭର୍ଚୁଆଲ ମୋଡ ରେ ଶିଳାନ୍ୟାସ କରିଥିଲେ। ଏନେଇ ରେଳବାଇ ବିଭାଗ ତରଫରୁ ନର୍ଲାରୋଡ ପ୍ଲାଟଫର୍ମ ରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରି ଉପସ୍ଥିତ ଜନ ସାଧାରଣଙ୍କୁ ଏହାର ସିଧା ପ୍ରସାରଣ ଦେଖାଇଥିଲେ। ଏଥିରେ ତତ୍କାଳୀନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ବିଭାଗୀୟ ଅନେକ ଅଧିକାରୀ ଉପସ୍ଥିତ ଥିଲେ। ସେଦିନ ଅଞ୍ଚଳ ବାସୀ ହୃଦୟଙ୍ଗମ କରିଥିଲେ ଯେ ସେମାନଙ୍କ ଦୀର୍ଘ ୧୩ ବର୍ଷର ଆଶା ନିଶ୍ଚୟ ସାକାର ହେବାକୁ ଯାଉଛି ବୋଲି। ନର୍ଲାର ଚପଟଖଣ୍ଡା ଠାରେ ରେଳ ଇଞ୍ଜିନ ମରାମତି କାରଖାନା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ତାଙ୍କ ଅନୁରୋଧ ରକ୍ଷାକରି ନର୍ଲାରେ କାରଖାନା ନିମନ୍ତେ ଟେଣ୍ଡର ଆହ୍ବାନର ବିଜ୍ଞପ୍ତି ଜାରି କରିଥିବାରୁ ପ୍ରଧାନ ମନ୍ତ୍ରୀ ମୋଦୀ ଜୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେହିଭଳି ଆମର ଦୀର୍ଘ ୧୩ ବର୍ଷର ଲଢେଇ ଆଜି ଫଳବତୀ ହୋଇଛି। ଅଞ୍ଚଳବାସୀଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ରେଳ ସଂଗ୍ରାମ ସମିତି ନର୍ଲାରୋଡର ସଭାପତି ପ୍ରଦୀପ କୁମାର ନାଏକ ଓ ସଂପାଦକ ହମେଶ କୁମାର ଜୈନ ପ୍ରକାଶ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.