ରାଜ୍ୟସ୍ତରୀୟ ଖାଦ୍ୟ ମେଳାରେ ଭାଗ ନେବେ ଲାଞ୍ଜିଗଡ ବ୍ଲକର ୩ ଏସଏଚଜି ମହିଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆସନ୍ତା ସପ୍ତାହରେ ରାଜଧାନୀ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା। ଏଥିରେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଜିଲ୍ଲାସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନିଜଣ ଲେଖାଏଁ ମହିଳା ପ୍ରତିଯୋଗୀ ଭାଗ ନେବେ ବୋଲି ସୂଚନା ମିଳିଛି। ଏଥିରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ମାଁ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ବିଭୁଲତା ନାୟକ, ସୌଦାମିନୀ ଦାସ ଓ ସରସ୍ବତୀ ଦଣ୍ଡସେନା କଳାହାଣ୍ଡି ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ। ଏହି ଖବର ମିଳିବା ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, ମା ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତିନି ବର୍ଷରୁ ଅଧିକ ସମୟ ହେଲା ବିଶ୍ୱନାଥପୁରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନଶକ୍ତି କାଫେକୁ ସୁଚାରୁ ରୂପେ ପରିଚାଳନା କରି ଆସୁଛନ୍ତି। ମିଶନଶକ୍ତି ଜରିଆରେ ଏହି ଗୋଷ୍ଠୀର ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଅଣ୍ଟା ଭିଡ଼ିଥିବାବେଳେ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ସେମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି। ତିନିଜଣଙ୍କ ମଧ୍ୟରୁ ବିଭୁଲତା ମୁଖ୍ୟ ରୋଷେୟା ଓ ତାଙ୍କର ଦୁଇ ସହଯୋଗୀ ଭାବେ ସୌଦାମିନୀ ଓ ସରସ୍ବତୀ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ନିଜର ରୋଷେଇ କଳା ଓ କୌଶଳ ପ୍ରଦର୍ଶନ କରିବେ। ତେବେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ମହିଳାମାନେ ଜିଲ୍ଲାସ୍ତରରେ ପ୍ରଥମ ହେବା ସହିତ ରାଜ୍ୟସ୍ତରର ପ୍ରତିଯୋଗିତା ପାଇଁ ମନୋନୀତ ହେବା ନିଶ୍ଚିତ ଭାବେ ଖୁସିର ବିଷୟ ଓ ମହିଳା ସଶକ୍ତିକରଣର ଅନ୍ୟତମ ଉଦାହରଣ ବୋଲି କୁହାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.