ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ତପିନ୍ଦ୍ର ଗୌଡିଆଙ୍କ ୮୦ ବର୍ଷ ବୟସରେ ତାଙ୍କ ଚାରି ଛକ ସ୍ଥିତ ବାସ ଭବନରେ ଶନିବାର ରାତି ୮.୦୫ ସମୟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କ ବଡ଼ ପୁଅ ଚୁଳମଣି, ଚିରଞ୍ଜିବୀ, ଦୁଇ ବୋହୁ, ଝିଅ କେତକୀ ଜଡା, ଯୋଇଁ ଶମ୍ଭୁ ଜଡା ସମସ୍ତ ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। କିଛିଦିନ ତଳେ ତାଙ୍କୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡ଼ିବା ପରେ ପରିବାର ଲୋକେ ବିଶାଖାପାଟଣା ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ଘରେ ତାଙ୍କ ସେବା ଶୁଶ୍ରୁଷା ଚାଲିଥିଲା। ଶନିବାର ସନ୍ଧ୍ୟାରେ ତାଙ୍କ ଦେହ ବହୁତ ଅସୁସ୍ଥ ହୋଇଥିଲା। ରାତି ୮.୦୫ ରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ରବିବାର ସକାଳେ ସଂକୀର୍ତ୍ତନ ମଣ୍ଡଳୀ ସହ ଭବ୍ୟ ଶୋଭାଯାତ୍ରାରେ ନେଇ ଉପରପଡା ନିକଟସ୍ଥ ତାଙ୍କ ଫାର୍ମ ହାଉସରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ତାଙ୍କ ଶେଷ ଶୋଭାଯାତ୍ରାରେ ନର୍ଲାର ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ସ୍ୱର୍ଗତ ଶ୍ରୀ ଗୌଡିଆ ଜଣେ ସଂକୀର୍ତ୍ତନ କଳାକାର ସାଙ୍ଗକୁ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସେ ନର୍ଲାର ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ସ୍ୱର୍ଗତ ଶ୍ରୀ ଗୌଡିଆଙ୍କ ଦେହାନ୍ତରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମା(ସାନୁ), ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।





