ଦୁଆରସେନୀଙ୍କ ଡେଙ୍ଗସର୍ଗୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦୁଆରସେନୀଙ୍କ ଆଜି ହେଉଛି ଡେଙ୍ଗସର୍ଗୀ ଯାତ୍ରା । ଏଥିପାଇଁ ମା’ ଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବହୁତ ଉତ୍ସାହରେ ଅଛନ୍ତି ! ଏହା ପୂର୍ବରୁ ମା’ ଦ୍ୱାରସେନୀଙ୍କ ଛତର ଉଠା ଯାତ୍ରା ସମ୍ପନ୍ନ ହୋଇଛି। ଦେବୀଙ୍କ ଷୋଡ଼ଶ ଉପଚାର ଆରମ୍ଭ ହେବା ପରେ ଜାନୀ ସେବକ ଛତରଙ୍ଗ ପାହାଡ଼କୁ ମା’ ଛତର ବାଉଁଶକୁ ଲାଗି ହେବାକୁଥିବା ପବିତ୍ର ବାଉଁଶ (ଛତର ଡାଙ୍ଗ) ଅନ୍ୱେଷଣରେ ମା’ ଦ୍ୱାରସେନୀଙ୍କଠାରୁ ଆଜ୍ଞାମାଳ ନେଇ ଅନ୍ୟ କିଛି ସହଯୋଗୀଙ୍କ ସହ ଚାଲି ଚାଲି ଯାଇଥିଲେ। ସେଠାରେ ଦେବୀଙ୍କ ସ୍ୱତନ୍ତ୍ର ଚିହ୍ନ ପାଇବା ପରେ ସେହି ବାଉଁଶକୁ ସେଠାରେ ପୂଜାର୍ଚ୍ଚନା କରି ସାଙ୍ଗରେ ଧରି ପୁଣି ଚାଲି ଚାଲି ସିନ୍ଧେକେଲା ମନ୍ଦିରକୁ ଆଣିଥିଲେ। ଏହି ସମୟ ଅବଧି ମଧ୍ୟରେ ଛତରଙ୍ଗଠାରୁ ସାଲେବରଟ ପର୍ଯ୍ୟନ୍ତ ମା’ଙ୍କ ପବିତ୍ର ବାଉଁଶ ଆସୁଥିବା ବେଳେ ପ୍ରତ୍ୟେକ ଗାଁରେ ଶ୍ରଦ୍ଧାଳୁ ଓ ମାନସିକଧାରୀ ପୂଜାର୍ଚ୍ଚନା କରିଥିଲେ। ସାଲେବରଟ ପହଞ୍ଚିବା ପରେ ଜାନୀ ସେବକଙ୍କ ଘରେ ପୂଜାର୍ଚ୍ଚନା ପରେ ସିନ୍ଧେକେଲା ମନ୍ଦିରକୁ ପବିତ୍ର ବାଉଁଶ ଧରି ଆସିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଛତର ଡାଙ୍ଗ ଯେଉଁ ଅଞ୍ଚଳ ଦେଇ ସାଲେବରଟ ପର୍ଯ୍ୟନ୍ତ ଆସେ ସେହି ଅଞ୍ଚଳର ଦଶହରା ଶେଷ ହୋଇଯାଏ। ସିନ୍ଧେକେଲା ପହଞ୍ଚିବା ପରେ ମା’ ଛତର ବାଉଁଶୀଙ୍କ ମନ୍ଦିରରେ ପାଦଧୁଆ ହେବା ପରେ ମା’ ଦ୍ୱାରସେନ୍ଧ୍ରୀଙ୍କ ମନ୍ଦିରକୁ ଯାଇଥିଲେ। ମଧ୍ୟ ରାତ୍ରିରେ ଛତରଙ୍କୁ ସ୍ୱତନ୍ତ୍ର ୧୬ ହାତର ପାଟ ଶାଢ଼ୀ ସହ ବିଭିନ୍ନ ସାମଗ୍ରୀରେ ସୁସଜ୍ଜିତ କରିବା ପରେ ମା’ ଦ୍ୱାରସେନୀ ଇଚଗାଁ ଯାତ୍ରା ପାଇଁ ଆଦେଶ ଦେଇଥାନ୍ତି। ପ୍ରକାଶ ଥାଉକି, ବିଳମ୍ବିତ ରାତିରେ ଦେବୀଙ୍କ ଆଦେଶ ମିଳିବା ପରେ ସିନ୍ଧେକେଲା ଝାପିତଳ ମନ୍ଦିରରୁ କାଳିସୀ ଦେହରେ ବୁଢ଼ାରଜା ସବାର ହୋଇ ଇଚଗାଁ ପ୍ରାୟ ୯ କିଲୋମିଟର ଚାଲି ଚାଲି ଯାଇ ଇଚଗାଁ ପହଞ୍ଚିବା ପରେ ଇଚଗାଁ ମନ୍ଦିରରେ ମା’ ଦ୍ୱାରସେନୀଙ୍କ ସହ ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହେବା ପରେ ସିନ୍ଧେକେଲା ପ୍ରତ୍ୟାବର୍ତ୍ତନ କରିବେ। ଏହି ସମୟରେ ଦୀର୍ଘ ୯ କିଲୋମିଟର ବ୍ୟାପୀ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସମାଗମ ରହିଥାଏ। ଏହା ସହ ଆଜି ମା’ ଦୁର୍ଗା ଙ୍କ ନବ ରାତ୍ରି ଆରମ୍ଭ ହେବା ସହ ଏହି ଯାତ୍ରା ଆରମ୍ଭ ହେଉଥିବାରୁ ସିନ୍ଧେକେଲା ଅଞ୍ଚଳରେ ବହୁତ ଗହଳି ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.