ଟ୍ରାକ୍ଟର ଡାଲା ଓଲଟି ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଝରିଆଗୁଡା ନିକଟରେ ଶୁକ୍ରବାର ଟ୍ରାକ୍ଟର ଡାଲା ଓଲଟି ଦୁର୍ଘଟଣା ଘଟିଛି। ଏଥିରେ ଛିଲିପାମାଲ ଗ୍ରାମର ଦିଗବାସ ଖର୍ସେଲଙ୍କ ପୁଅ ସୁନୀଲ ଖର୍ସେଲ (୧୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ପରିବାର ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ସୂଚନା ଅନୁସାରେ, ମହୁଲମୁଣ୍ଡାରୁ ଝରିଆଗୁଡା ଦେଇ ଛିଲପାମାଲ ଯାଉଥିବା ସେଣ୍ଟ୍ରିଂ ସାମଗ୍ରୀ ବୋଝେଇ ଟ୍ରାକ୍ଟର ଛିଲପାମାଲ ପଟୁ ଆସୁଥିବା ସୁନୀଲ ଖର୍ସେଲଙ୍କ ବାଇକ୍ ଉପରେ ଟ୍ରାକ୍ଟର ଡାଲା ଓଲଟି ସେଣ୍ଟ୍ରିଂ ସାମଗ୍ରୀ ଖସି ଚାପିଦେଇଥିଲା। ଫଳରେ ସୁନୀଲ ଗୁରୁତର ହୋଇଥିବା ବେଳେ ତାଙ୍କ ସାଥିରେ ଥିବା ଅନ୍ୟଜଣେ ନାବାଳକ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ କିଛି ଯୁବକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ସୁନୀଲକୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ରାସ୍ତାରେ ସୁନୀଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। କୋକସରା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଟ୍ରାକ୍ଟରକୁ ଜବତ କରିଛି। ଏବଂ ଭବାନୀପାଟଣା ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଏଣେ ଭବାନୀପାଟଣାରୁ ଶବ ବ୍ୟବଛେଦ ହୋଇ କୋକସରା ପହଞ୍ଚିବା ପରେ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସମ୍ପର୍କୀୟମାନେ କୋକସରା ଥାନା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ କୋକସରା ଥାନା ଅଧିକାରିଣୀ ସ୍ନିଗ୍ଧା ରାଣୀ ସୁନା ଓ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିବାବେଳେ ଟ୍ରାକ୍ଟର ମାଲିକ ପକ୍ଷରୁ କ୍ଷତିପୂରଣ ଦେବାପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିବା ବେଳେ ସରକାରୀ ହିସାବରେ ଯାହା ସହାୟତା ରହିଛି ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କହିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.