ଆବୁଧାବି ଓଡ଼ିଆ ସମାଜ (ଓଏସ୍ଏ) ପକ୍ଷରୁ ପାଳିତ ହେଲା ଓଡ଼ିଶାର ସାମୁଦ୍ରିକ ଐତିହ୍ୟକୁ ନେଇ ବୋଇତ ବନ୍ଦାଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆବୁଧାବିସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାର ଦିନ ୟାସ୍ ଦ୍ୱୀପସ୍ଥିତ କ୍ରାଉନ୍ ପ୍ଲାଜା ହୋଟେଲରେ ଆୟୋଜିତ ଏହି ଉତ୍ସବରେ ୟୁଏଇର ବିଭିନ୍ନ ଅଞ୍ଚଳରୁ ଶତାଧିକ ଓଡ଼ିଆ ଏକତ୍ରିତ ହୋଇଥିଲେ। ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟ, ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସ୍ମରଣ କରିବା ସହ ଏହି ଉତ୍ସବ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଏକତା ଓ ସାଂସ୍କୃତିକ ଗର୍ବବୋଧର ନିଦର୍ଶନ ପାଲଟିଥିଲା।

ଓଡ଼ିଆ ସମାଜର ସଭାପତି ତଥା ମୁଖ୍ୟ ଆୟୋଜକ ସୌଗତ ନାୟକ ସ୍ୱାଗତ ଭାଷଣରେ ବୋଇତ ବନ୍ଦାଣ ଉତ୍ସବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏକଦା ପାର୍କରେ ଏହି ଉତ୍ସବ ଆୟୋଜନରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଏକ ପଞ୍ଚତାରକା ହୋଟେଲରେ ପହଞ୍ଚିଥିବା ଉଲ୍ଲେଖ କରି ସେ ସଂଗଠନର ଅଗ୍ରଗତି ସମ୍ପର୍କରେ କହିଥିଲେ। ଏଥିସହ ପ୍ରବାସୀ ଓଡ଼ିଆ ବିଶେଷକରି ଶ୍ରମଜୀବୀ ଓଡ଼ିଆଙ୍କ ସହାୟତା ପାଇଁ ସମାଜର ପ୍ରତିବଦ୍ଧତା ଦୋହରାଇଥିଲେ।

ଭାରତୀୟ ଦୂତାବାସର ପ୍ରଥମ ସଚିବ ଚନ୍ଦନ କୋହଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାନ୍ ବଲ୍କ ସିପିଂ ଡିଏମ୍‌ସିସିର ସିଇଓ କ୍ୟାପଟେନ୍ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିଚାଳନା ପରାମର୍ଶଦାତା କିଶୋର ଦାସ ଏବଂ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟରର ସିଇଓ ସୁଭମ୍ ନେଇଥାନି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଅତିଥିମାନେ ଓଡ଼ିଆ ସମାଜର ୨୦୨୭ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ।

ସମାଜର ପରାମର୍ଶଦାତା ପ୍ରଦୀପ କୁମାର ରଥ ଓଡ଼ିଶାର ଅଢ଼େଇ ହଜାର ବର୍ଷରୁ ଊର୍ଦ୍ଧ୍ୱ ସାମୁଦ୍ରିକ ଇତିହାସ ସମ୍ପର୍କରେ ଉଲ୍ଲେଖ କରି ପ୍ରାଚୀନ ସାଧବମାନଙ୍କ ସାହସ, ଉଦ୍ୟମ ଓ ନୌବାଣିଜ୍ୟ ପରମ୍ପରାର ପ୍ରଶଂସା କରିଥିଲେ। ସାଧବମାନେ କେବଳ ବଣିକ ନଥିଲେ, ସେମାନେ ଅନୁସନ୍ଧାନକାରୀ, ଜାହାଜ ନିର୍ମାତା, ନାବିକ ଓ ସଭ୍ୟତାର ଦୂତ ଥିଲେ ବୋଲି ସେ କହିଥିଲେ। ଏହି ଗୌରବମୟ ଐତିହ୍ୟର ସୁରକ୍ଷା ସହ ନୂତନ ପିଢ଼ିକୁ ଏହାର ଉତ୍ତରାଧିକାରୀ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଆ ସମାଜର ଶିଶୁ ଓ ବୟସ୍କ ସଦସ୍ୟମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଏକ ସ୍ୱତନ୍ତ୍ର ଫ୍ୟାଶନ୍ ଶୋ’ରେ ଓଡ଼ିଶାର ହସ୍ତତନ୍ତ, ପାରମ୍ପରିକ ପୋଷାକ ଓ ସାଂସ୍କୃତିକ ବିଭବ ପ୍ରଦର୍ଶିତ ହୋଇଥିଲା। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ତାଙ୍କ ଦଳର ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବିଙ୍କ ସଙ୍ଗୀତ ପରିବେଷଣରେ ଦର୍ଶକମାନେ ଉତ୍ସାହିତ ହୋଇଉଠିଥିଲେ। ଦେବାଂଶୀ ଓ ରାମୁଲିଙ୍କ ପରିବେଷଣ ମଧ୍ୟ ଉଚ୍ଚକୋଟୀର ହୋଇଥିଲା। ଉପସ୍ଥାପିକା ପୁପୁଲ୍ ସମଗ୍ର କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ।

ଏହି ଅବସରରେ ଗୋଷ୍ଠୀ ନୃତ୍ୟ, ଲକି ଡ୍ର, ସ୍ମାରକୀ ଓ ପୁରସ୍କାର ପ୍ରଦାନ, ସାମୂହିକ ଫଟୋ ଉତ୍ତୋଳନ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ମଧ୍ୟ ରହିଥିଲା। କୋରିଓଗ୍ରାଫର ହେମନ୍ତଙ୍କ ଅବଦାନକୁ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଥିଲା। ସାଂସ୍କୃତିକ ପରିବେଷଣ ପ୍ରସ୍ତୁତି ଓ ଉପସ୍ଥାପନାରେ ଅର୍ପିତା କାନୁନଗୋ, ସ୍ୱାତୀ ଦାସ, ଲୋପାମୁଦ୍ରା ମଲ୍ଲିକ, ଅର୍ଚ୍ଚନା ନାୟକ, ସ୍ନିଗ୍ଧା ପଣ୍ଡା, ସୌମ୍ୟା ନାୟକ ଓ ପ୍ରୀତି କସ୍ତୁରୀ ସହଯୋଗ କରିଥିଲେ।

ଏହି ଉତ୍ସବକୁ ଏମିରେଟ୍ସ ଇସଲାମିକ୍ ବ୍ୟାଙ୍କ, ଆର୍‌ଏକେବ୍ୟାଙ୍କ, ଆଇଏଲ୍‌ଏଏମ୍ ଆୟୁର୍ବେଦ, ସେଞ୍ଚୁରୀ ଫାଇନାନ୍ସ, ମାଲାବାର ଗୋଲ୍ଡ ଓ ଡାଲୱିନ୍ ମେରାଇନ୍ ସହଯୋଗ କରିଥିଲେ।

ଓଡ଼ିଆ ସମାଜର ପରାମର୍ଶଦାତା ଡ. ହିମାଂଶୁ ଦାସ ଓ କାର୍ତ୍ତିକ ସିଂହଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା କମିଟିର ସଦସ୍ୟ ସିଦ୍ଧାର୍ଥ ଦାସ, ସୁକର୍ଣ୍ଣ ବେହେରା, ଜିତେନ୍ଦ୍ର ମିଶ୍ର, ସୁମିତ କୁମାର ପଣ୍ଡା, ସୁଶାନ୍ତ ମହାପାତ୍ର, ଚିନ୍ମୟ ନାୟକ, ସମ୍ବିତ କୁମାର ମହାନ୍ତି ଓ ଟି. କେଶବ ରାଓ ସକ୍ରିୟ ସହଯୋଗ କରିଥିଲେ। ସେହିପରି କୋର୍ କମିଟିର ସଦସ୍ୟ ସୁବୋଧ କୁମାର ସାହୁ, ଶୁଭ୍ରା ସାମଲ, ଶିପ୍ରା ଦାସ, ଅସ୍ମିତା ପଟେଲ, ଦିଲୀପ କୁମାର ନାୟକ, ବିଶ୍ୱରଞ୍ଜନ ଜେନା, ବିଷ୍ଣୁ ଇପିଲି, ଗାର୍ଗୀ ସିଂହ, ରାଜେଶ ଦାସ ଓ ପ୍ରଦୀପ ସାହୁ ମଧ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.