ଓଡ଼ିଆ ବାର୍ତ୍ତା/ ଗୁଣୁପୁର (ପଦ୍ମନ ଭତ୍ରା): ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ କମିଶନର ତଥା ସଚିବ ଗିରିଶ ଏସ୍.ଏନ୍ ଗୁଣପୁର ଉପଖଣ୍ଡର ଗୁଣପୁର ଓ ପଦ୍ମପୁର ବ୍ଲକ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଗିରିଶ ଗୁଣପୁର ପହଞ୍ଚି ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ ସ୍ୱାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ । ଡାକ୍ତରମାନଙ୍କ ସହ ଚିକିତ୍ସାଳୟର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଖିଥିଲେ । ନୂତନ ଭାବେ ନିର୍ମାଣ ଚାଲିଥିବା କୋଠା ତୁରନ୍ତ ସାରିବାକୁ ନିର୍ଦ୍ଧେଶ ଦେଇଥିଲେ । ପରେ ଗୁଣପୁର ବ୍ଲକ ଚିନାସାରି ଓ କୁଲୁସିଂ ଗ୍ରାମକୁ ଯାଇ ସେଠାରେ ବିକଶିତ ଗାଁ ବିକଶିତ ଓଡିଶା ମାଧ୍ୟମରେ ଚାଲିଥିବା ଗୃହ ଗୁଡିକ ଦେଖିଥିଲେ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । କୁଲୁସିଂ ଅଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ଜନ୍ ମନ୍ କାର୍ଯ୍ୟର ତଦାରଖ କରିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ପୁଟାସିଂ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ ଏସ ଡି) ଯାଇ ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ଶିକ୍ଷାଦାନ ଉପରେ ପଚାରି ବୁଝିଥିଲେ । ମଧ୍ୟାହ୍ନ ଭୋଜନ, ପରିବେଶ ଭିତ୍ତିକ ଶିକ୍ଷା, ହଷ୍ଟେଲ ପରିଚାଳନାକୁ ଗୁରୁତ୍ୱ ଦେବାକୁ ଶିକ୍ଷକ ମାନଙ୍କୁ ତାଗିଦ କରିଥିଲେ । ରିଜିଙ୍ଗତାଳ ଗ୍ରାମକୁ ଯାଇ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଶିଶୁମାନଙ୍କୁ ପୋଷଣ ଖାଦ୍ୟ ଦିଆଯାଉଛି ନା ନାହିଁ ପଚାରି ବୁଝିଥିଲେ । ଶିଶୁମାନଙ୍କ ଶିକ୍ଷା ଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ସଚିବଙ୍କ ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ଼ା ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ଫେରିବା ପରେ ପଦ୍ମପୁର ବ୍ଲକର ପଦ୍ମପୁର, ଖମା ପଦର, ଡିବିରି ସିଂ ଅଞ୍ଚଳ ଗସ୍ତ କରିଥିଲେ । ପଦ୍ମପୁର ଖମା ପଦରରେ ନିର୍ମାଣାଧିନ ଅମୃତ ସରୋବର ପରିଦର୍ଶନ କରି ପାରିପାର୍ଶିକ ଉନ୍ନୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ଟିସୁ କଲଚର ଚାଷ ଉପରେ ଗୁରୁତ୍ୱ ଦେବାକୁ ଗ୍ରାମବାସୀ ଙ୍କୁ ଉତ୍ସାହତ କରିଥିଲେ । ପଦ୍ମପୁରର ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆକାଂକ୍ଷା ହାଟ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ । ସେଠାରେ ମାଁ ମାନଙ୍କ ସହ ସୁଭଦ୍ରା ଯୋଜନାରେ ଉପକୃତ ହେଉଥିବା ବିଷୟରେ ଆଲୋଚନା କରିଥିଲେ । ସେଠାରୁ ଡିବିରି ସିଂ ଗ୍ରାମକୁ ଯାଇ ଅନ୍ତଦୋୟ ଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଘର କାର୍ଯ୍ୟ ସରିଲେ ସରକାରଙ୍କ ଦ୍ଵାରା ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ । ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶୁ ଜାନି ସଚିବଙ୍କ ସହ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ ।