ଓଡ଼ିଆ ବାର୍ତ୍ତା/ କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମ ଦେଇ ଯାଇଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜୋରରେ ଫସି ୭୨ ଟି ମଇଁଷିଙ୍କର ଅକାଳ ମୃତ୍ୟ ହୋଇଛି। ଏହା ରାଜ୍ୟର ଗୋ ମଇଁଷି ପାଳକଙ୍କ ପାଇଁ ଏକ ହୃଦୟ ବିଦାରକ ଘଟଣା। ଏହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ସଭାପତି, ସମ୍ପାଦକ, ମୁଖ୍ୟ କର୍ମକର୍ତ୍ତା ଓ ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇଂ. ପ୍ରଦୀପ କୁମାର ବେହେରା ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ମଇଁଷି ମାନଙ୍କ ମୃତ୍ୟୁର କାରଣ ଉନ୍ମୋଚନ ପାଇଁ ବିହିତ ତଦନ୍ତ କରାଇବା ସହ ଦୋଷୀକୁ କଠୋର ଦଣ୍ଡ ଦେବାପାଇଁ ଯାଦବ ମହାସଭା ଦାବି କରିଛି। ମଇଁଷିମାନଙ୍କ ଅକାଳ ମୃତ୍ୟୁ ଯୋଗୁଁ ମଇଁଷି ପାଳକମାନେ ସର୍ବସ୍ବାନ୍ତ ହୋଇ ଯାଇଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବା ଓ ଉଚିତ କ୍ଷତିପୁରଣ ଦେବାକୁ ଦୃଢ଼ ଦାବୀ ଜଣାଇଛନ୍ତି ଯାଦବ ମହାସଭାର ଏହି ପ୍ରତିନିଧି ଦଳ। ଜିଲ୍ଲାପାଳ ଘଟଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହାର ବିହିତ ପଦକ୍ଷେପ ନେବାକୁ ଦୃଢ଼ ପ୍ରତିଶୃତି ଦେଇଥିବା ଜଣାପଡିଛି।