ମା ହେଲେ ଛାତ୍ରୀ ନିବାସର ଯୁକ୍ତ ତିନି ବର୍ଷ ଛାତ୍ରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିରରେ ଦିନକୁ ଦିନ ଅବୈଧ ମାତୃତ୍ଵ ଓ ଭ୍ରୁଣ ହତ୍ୟା ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ସଚେତନତା ଅଭାବ ଯୋଗୁଁ ଯୁବ ଗୋଷ୍ଟି ପଥଭ୍ରଷ୍ଟ ହେଉଛନ୍ତି ଓ ଅନେକ ସମୟରେ ଲଜ୍ଜ୍ୟା ସହିନପାରି ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ରାଜ୍ୟରେ ଛାତ୍ରୀ ସୁରକ୍ଷା ନେଇ ସରକାର ଚିନ୍ତାରେ ଥିବା ବେଳେ ପୁଣି ବଲାଙ୍ଗିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତେବାସୀ ଛାତ୍ରୀ ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇ, ମାଆ ହୋଇଛନ୍ତି ଯୁକ୍ତ ତିନି ବର୍ଷର ଛାତ୍ରୀ। ରାତିରେ ଜନନୀ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ବଲାଙ୍ଗିର ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତି କରିଥିଲେ। ମେଡିକାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ ଜଣଙ୍କ। ଏହାକୁ ନେଇ ବଲାଙ୍ଗୀରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁରୁଷ ବନ୍ଧୁ ଗର୍ଭବତୀ କରିଥିବା ନେଇ ଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିବା ଜଣାପଡିଛି। ଘଟଣାର ଖବର ପାଇ ଛାତ୍ରୀର ପରିବାର ଲୋକେ ବଲାଙ୍ଗୀର ମେଡିକାଲରେ ପହଂଚିଛନ୍ତି। ଗର୍ଭବତୀ ଅବସ୍ଥାରେ ଛାତ୍ରୀ ନିବାସରେ ରହୁଥିଲେ ଛାତ୍ରୀ। କେମିତି ହଷ୍ଟେଲ ୱାର୍ଡେନ ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋଟିଏ ଟିମ ଗଠନ କରି ତଦନ୍ତ ଚଳାଇଥିବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ରହିଛି। ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ର କଂଗ୍ରେସ ଷ୍ଟେଟ ଜେନେରାଲ ସେକ୍ରେଟାରୀ ସାରାନ୍ ସାହୁ। ହଷ୍ଟେଲରେ ଛାତ୍ରୀ ୯ ମାସର ଗର୍ଭବତୀ ଥିଲେ କିନ୍ତୁ କେମିତି କେହି ଜାଣିପାରିଲେ ନାହିଁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି। ଏକ ସୁନାମଧନ୍ୟ ସରକାରୀ ଶିକ୍ଷନୁଷ୍ଠାନ ଛାତ୍ରୀ ନିବାସରେ ଅବିବାହିତା ଛାତ୍ରୀ ପ୍ରସବ କରିଥିବାରୁ ଏହାକୁ ଚପାଇ ଦେବାକୁ ସଂପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.