ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ ହିରଣ୍ୟ ବେହେରା): ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ମଙ୍ଗଳବାର ଦିନ ନୂଆ ଖାଇବେ କଳାହାଣ୍ଡି ଗଡ଼ଜାତ ଅଞ୍ଚଳବାସୀ। ଏନେଇ କଳାହାଣ୍ଡି ମହାରାଜାଙ୍କ ପକ୍ଷରୁ ଲଗ୍ନ ଧାର୍ଯ୍ୟ କରାଯାଇଛି। ପବିତ୍ର ଦଶମୀ ତିଥିର ସକାଳ ୮ଟା ୪୫ରୁ ୯ଟା ୫ ମି. ମଧ୍ୟେ ମାଁ ମାଣିକେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେବ ଏହାପରେ ସର୍ବସାଧାରଣ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ମଧ୍ୟରେ ନୂଆ ଖାଇବେ। ସେହିପରି ମାଣିକେଶ୍ବରୀ ଓ ମଦନପୁର ରାମପୁରର ଡୋକରି ଦେବୀଙ୍କ ଠାରେ ନୂଆ ଲାଗି ହେବାପରେ ମ.ରାମପୁରବାସୀ ନୂଆ ଖାଇବେ। ଏହି ଦିନ ଭବାନୀପାଟଣା ସହର ଓ ଦାଦପୁର ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ ସହର ଓ ବିଶ୍ବନାଥପୁର, ମହୁଲ ପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଏବଂ ଥୁଆମୂଲ ରାମପୁର ସହରବାସୀ ନୂଆଖାଇ ପାଳନ କରିବେ। ଏହା ବ୍ୟତିରେକ ଜିଲ୍ଲାର ୧୩ଗୋଟି ବ୍ଲକର ଗ୍ରାମାଞ୍ଚଳରେ ପଞ୍ଚମୀ ତିଥିରେ ପାଳିତ ହୋଇଛି ନୂଆଖାଇ।