ଚାଲିଥିଲା ୫୮ତମ ଦିଶା ବୈଠକ, ହଠାତ୍ ବଢ଼ିଲା ଯୁକ୍ତିତର୍କ

ସାମ୍ବାଦିକଙ୍କୁ ବାହାରକୁ ଯିବାକୁ କହିବାରୁ ତେଜିଲା କଥା କଟାକଟି, ଭିଡିଓ ଭାଇରାଲ୍

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ସଦଭାବନା ସଭାଗୃହରେ ୫୮ତମ ଦିଶା ବୈଠକ ଚାଲିଥିବା ସମୟରେ ଭିଡିଓ ଉତ୍ତୋଳନକୁ ନେଇ ସାମ୍ବାଦିକ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଯୁକ୍ତିତର୍କ ଘଟଣା ଏବେ ଚର୍ଚ୍ଚାରେ। ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ବୈଠକ ଚାଲିଥିବା ବେଳେ ଜିଲ୍ଲାର ସାମ୍ବାଦିକମାନେ ବୈଠକର ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସାମ୍ବାଦିକମାନଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇ ବାହାରକୁ ଯିବାକୁ କହିଥିବା ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ସାମ୍ବାଦିକମାନଙ୍କ ପକ୍ଷରୁ ସାଂସଦଙ୍କୁ ପ୍ରଶ୍ନ କରାଯାଇଥିଲା। ବୈଠକରୁ ସାମ୍ବାଦିକମାନଙ୍କୁ ଏଭଳି ଭାବେ ବାହାରକୁ ଯିବାକୁ କହିବା ଅସମ୍ମାନଜନକ ନୁହେଁ କି ବୋଲି ପ୍ରଶ୍ନ ଉଠିଥିଲା। ଏହାର ଉତ୍ତରରେ ଭିଡିଓ ଉତ୍ତୋଳନ ଯୋଗୁଁ ବୈଠକରେ ଅସୁବିଧା ହେଉଥିବା ସାଂସଦ କହିଥିବା ଜଣାପଡ଼ିଛି। ପରେ ଏହି ପ୍ରସଙ୍ଗରେ ଜୟପୁର ବିଧାୟକ ମଧ୍ୟ ସାମ୍ବାଦିକମାନଙ୍କ ସହ ଯୁକ୍ତିତର୍କରେ ଜଡ଼ିଥିବା ଭିଡିଓରେ ଦେଖାଯାଉଛି। ଫଳରେ ଦିଶା ବୈଠକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ବୈଠକ ମଧ୍ୟରେ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ଚର୍ଚ୍ଚା ହେଉଛି।

ଘଟଣାକୁ ନେଇ ଏବେ ମୁଖ୍ୟ ପ୍ରଶ୍ନ—ଦିଶା ବୈଠକରେ ସାମ୍ବାଦିକମାନଙ୍କ ଭିଡିଓ ଉତ୍ତୋଳନ ଉପରେ କି ନିର୍ଦ୍ଦିଷ୍ଟ କଟକଣା ଥିଲା? ଯଦି ଥିଲା, ତେବେ ତାହା ସାମ୍ବାଦିକମାନଙ୍କୁ ପୂର୍ବରୁ ଜଣାଯାଇଥିଲା କି? ଏବଂ ଭିଡିଓ ଉତ୍ତୋଳନକୁ ନେଇ ଆପତ୍ତି ଥିଲେ ମଧ୍ୟ ଏହାକୁ ନେଇ ସୃଷ୍ଟି ହୋଇଥିବା କଥାକଟାକଟି କାହିଁକି ଏତେ ଦୂରକୁ ଗଲା? ଭାଇରାଲ୍ ଭିଡିଓକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ, ଘଟଣାର ସମ୍ପୂର୍ଣ୍ଣ ପରିପ୍ରେକ୍ଷିତ ଏବଂ ଉଭୟ ପକ୍ଷର ସ୍ପଷ୍ଟ ମତାମତ ସାମ୍ନାକୁ ଆସିଲେ ହିଁ ପୂରା ଘଟଣାର ଚିତ୍ର ସ୍ପଷ୍ଟ ହୋଇପାରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.