ନିର୍ବାଚନ ପାଖେଇଲେ ‘ସମାଜସେବୀ’!

ୟୁଟ୍ୟୁବ୍ ଚ୍ୟାନେଲର ପ୍ରଚାରକୁ ନେଇ କୋରାପୁଟରେ ଉଠିଲା ପ୍ରଶ୍ନ – ପରିଚୟ କାମରୁ ନା ପ୍ରଚାରରୁ?

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ନିର୍ବାଚନ ପାଖେଇ ଆସିଲେ ହଠାତ୍‌ ବଢ଼ିଯାଏ ସମାଜସେବୀଙ୍କ ପରିଚୟ! କୋରାପୁଟ ଜିଲ୍ଲାରେ ଏଭଳି ଏକ ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଜଣେ ବ୍ୟକ୍ତି ଦୀର୍ଘ ୧୬ ବର୍ଷ ଧରି ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିବା ପରେ ଏବେ ନିଜ ଜିଲ୍ଲାକୁ ଫେରିବା ଏବଂ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଫେସବୁକ ମାଧ୍ୟମରେ ତାଙ୍କୁ ‘ସମାଜସେବୀ’ ଭାବେ ପ୍ରଚାର କରାଯିବାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶ୍ନ ହେଉଛି—ଯଦି ୧୬ ବର୍ଷ ଧରି ବ୍ୟକ୍ତିଜଣକ ଅନ୍ୟ ରାଜ୍ୟରେ ଥିଲେ, ତେବେ କୋରାପୁଟରେ ତାଙ୍କ ସାମାଜିକ କାର୍ଯ୍ୟର ଦୀର୍ଘ ଇତିହାସ କେଉଁଠି?

ସମାଜସେବା କେବଳ ଏକ ଉପାଧି ନୁହେଁ। ଏହା ଲୋକଙ୍କ ସହ ରହି, ସେମାନଙ୍କ ସମସ୍ୟାରେ ସାଥୀ ହୋଇ, ଦୀର୍ଘ ସମୟ ଧରି କରାଯାଇଥିବା କାର୍ଯ୍ୟରୁ ଗଢ଼ିଉଠେ। କୋରାପୁଟରେ ମଧ୍ୟ ଅନେକ ବ୍ୟକ୍ତି ବର୍ଷ ବର୍ଷ ଧରି ନିରବରେ ସାମାଜିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ପରିଚୟ ତିଆରି କରିବାକୁ ବଡ଼ ବଡ଼ ପ୍ରଚାରର ଆବଶ୍ୟକତା ପଡ଼େ ନାହିଁ।‌ କିନ୍ତୁ ନିର୍ବାଚନ ନିକଟତର ହେଉଥିବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କୁ ହଠାତ୍‌ ୟୁଟ୍ୟୁବ୍ ଚ୍ୟାନେଲରେ ‘ସମାଜସେବୀ’ ଭାବେ ପରିଚୟ କରାଯାଏ, ତେବେ ଏହା ସାଧାରଣ ପ୍ରଚାର ନା ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି—ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଆଉ ଏକ ବଡ଼ ପ୍ରଶ୍ନ—ୟୁଟ୍ୟୁବ୍‌ରେ କାହାକୁ ‘ସମାଜସେବୀ’ ବୋଲି କହିଦେଲେ ସେ ସମାଜସେବୀ ହୋଇଯିବେ କି? ତାଙ୍କ ଦ୍ୱାରା କେଉଁ ସାମାଜିକ କାର୍ଯ୍ୟ କରାଯାଇଛି? କେତେ ବର୍ଷ ଧରି କରାଯାଇଛି? କେଉଁ ଅଞ୍ଚଳର ଲୋକ ଏଥିରୁ ଉପକୃତ ହୋଇଛନ୍ତି? ଏବଂ ନିର୍ବାଚନ ଘୋଷଣା କିମ୍ବା ନିର୍ବାଚନୀ ପରିବେଶ ପୂର୍ବରୁ ଏହି ପ୍ରଚାର କାହିଁକି ହଠାତ୍‌ ବଢ଼ିଲା? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସାମ୍ନାକୁ ଆସିବା ଆବଶ୍ୟକ। କାରଣ ପରିଚୟ ୟୁଟ୍ୟୁବ୍‌ରେ ତିଆରି କରାଯାଇପାରେ, କିନ୍ତୁ ସମାଜରେ ଗ୍ରହଣୀୟତା କେବଳ ପ୍ରଚାରରେ ନୁହେଁ – ପ୍ରକୃତ କାମରେ ଗଢ଼ିଉଠେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.