ଗାଳ୍ପିକ ବିଭୂତି ଭୂଷଣ ପ୍ରଧାନଙ୍କ ସାହିତ୍ୟ ସମ୍ଭାରକୁ ନେଇ ଆୟୋଜିତ ହେଲା କାର୍ଯ୍ୟକ୍ରମ ‘ବିଭୂତି ବିଭବ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଵର୍ଗତ ବିଭୂତି ଭୂଷଣ ପ୍ରଧାନଙ୍କ ରଚନାରେ ଗ୍ରାମୀଣ ଜୀବନର ନିଚ୍ଛକତା ସହ ମନର ତୁଚ୍ଛତା ମଧ୍ୟ ଅତି ଯୋଗ୍ୟ ଭାବରେ ବର୍ଣ୍ଣିତ ହୋଇଥାଏ। ତାଙ୍କର ରଚନାର ପ୍ରତ୍ୟେକ ବାକ୍ୟ ଉଭୟ ହସେଇ, କନ୍ଦେଇ ଓ ଭିଜେଇ ଦେଇପାରେ। ସେ ହେଉଛନ୍ତି ଆମେ ଛାଡ଼ି ଆସିଥିବା ସ୍ମୃତିର ଚିତ୍ରକର।

କୁହାଯାଏ ଲେଖକଟିଏ ଥରେ ଚାଲିଗଲେ ତାଙ୍କ ବିଷୟରେ ପ୍ରାୟ ଆଉକେହି କେଉଁଠି ପ୍ରାୟ ଆଲୋଚନା କରନ୍ତି ନାହିଁ । କିନ୍ତୁ କିଛି ବ୍ୟତିକ୍ରମ ଲେଖକଙ୍କ ମଧ୍ୟରୁ ବିଭୂତି ଭୂଷଣ ପ୍ରଧାନ ଏମିତି ଜଣେ କଥାକାର ଯିଏ ଏହି ଧରାପୃଷ୍ଠରୁ ବିଦାୟ ନେଇ ଚାଲିଯିବା ପରେ ବି ତାଙ୍କୁ ଏଯାଏଁ ପାଠକମାନେ ଝୁରି ହୁଅନ୍ତି ।

ତେବେ ତାଙ୍କ ସ୍ମୃତିକୁ ମନେପକାଇ ‘ମାଟିଖଡ଼ି’ ଓ ‘ଓଡ଼ିଶା ସାହିତ୍ୟ ଏକାଡେମି’ର ମିଳିତ ଆନୁକୁଲ୍ୟରେ ଗତକାଲି ଆୟୋଜିତ ହୋଇଯାଇଛି ‘ବିଭୂତି ବିଭବ’। ରେଡକ୍ରସ ଭବନରେ ବିଭୂତି ଭୂଷଣ ସାହିତ୍ୟ ସମ୍ଭାରକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ହରିହର ଶୁକ୍ଳ ଓ ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା ଯୋଗ ଦେଇଥିଲେ।

ସ୍ଵର୍ଗତ ପ୍ରଧାନଙ୍କୁ ମନେପକାଇ ବିଶିଷ୍ଟ କଥାକାର ଗୌରହରି ଦାସ ଓ ସାହିତ୍ୟିକ ହରିହର ଶୁକ୍ଳ ଗାଳ୍ପିକ ସ୍ବର୍ଗତ ପ୍ରଧାନଙ୍କ ରଚନାବଳୀଗୁଡ଼ିକର ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା ବିଭୂତି ପ୍ରଧାନଙ୍କୁ ମନେପକାଇ ତାଙ୍କ ରଚନାର କିଛି ଚମତ୍କାର ପଂକ୍ତି ଉଦ୍ଧୃତ କରିଥିଲେ।

ଏହି ଅବସରରେ ଚିତ୍ରଶିଳ୍ପୀ ଜିତେନ୍ଦ୍ର କୁମାର ଭଞ୍ଜ ଚିତ୍ରକଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଦେବବ୍ରତ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଗାଳ୍ପିକଙ୍କ ପତ୍ନୀ ପ୍ରେମଲତା ରାଉତ, ଝିଅ ପ୍ରୀତିପ୍ରଜ୍ଞା ପ୍ରଧାନ ଓ ଇପ୍ସିତା ପ୍ରଧାନଙ୍କ ସମେତ ବହୁ ବିଭୂତି ପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.