ସାନେ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଟକର୍ଲା ଦଳ ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଗୁଣପୁର ଆଦିବାସୀ ପଡ଼ିଆ ଠାରେ ଚାଲିଥିବା ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଖମନପଡା ଫୁଟବଲ୍ କ୍ଲବ ଆନୁକୁଲ୍ୟରେ ଦୁଇ ଦିନ ଧରି ଏହି କ୍ରୀଡ଼ା ପ୍ରତିଯୋଗିତା ଚାଲିଥିଲା। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ହରିଶଙ୍କର ମାଝୀ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ଗାଡେବନ୍ଧ ସମିତି ସଭ୍ୟାଙ୍କ ପ୍ରତିନିଧି ଅଜିତ କୁମାର ସାହୁ, ଫରେଷ୍ଟର ବବ୍ଲୁ ନାଏକ, ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ, ସରପଞ୍ଚଙ୍କ ପ୍ରତିନିଧି କେଶରୀ ବାଗ, କେତନ ମାଝୀ, ଡିଙ୍ଗର ମୁଣ୍ଡା, ଗଣେଶ ମୁଣ୍ଡା, ଚୌବନ ମାଝୀ, ସୁରେଶ ମାଝୀ, ଦଶରଥ ଜାନୀ, ଦିଲିପ ବାଗ, କୁମେଶ୍ୱର୍ ମାଝୀ, ରମେଶ ମାଝୀ ପ୍ରମୁଖ ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ।

ଏହି ପ୍ରତିଯୋଗିତାରେ ୮ ଗୋଟି ଦଳ ଭାଗ ନେଇଥିଲେ।  ସେମି ଫାଇନାଲରେ କେସିଙ୍ଗା ବୁଢ଼ାରଜା ଏଫସିକୁ ହରାଇ କୁସୁମପଡା ଓ ବୋରଗୁଡା ଦଳକୁ ହରାଇ ଟକର୍ଲା ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଫାଇନାଲ ଖେଳ ଟକର୍ଲା ଓ କୁସୁମ ପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ ଫଳରେ ଟ୍ରାଇବେକର କରାଯାଇଥିଲା। ଏଥିରେ ଟକର୍ଲା ଦଳ ୪-୦ ରେ ବିଜୟ ହାସଲ କରିଥିଲା। ବିଶି ପ୍ରଧାନ, ବୁଲୁ ମାଝୀ ଓ ଚଞ୍ଚଳ ମାଝୀ ସମସ୍ତ ଖେଳ ପରିଚାଳନା କରିଥିଲେ ଏବଂ ଚତୁର୍ଥ ରେଫରି ଭାବରେ ସୁରେଶ ମାଝୀ ଦାୟିତ୍ଵ ନିର୍ବାହ କରିଥିଲେ।

ବେଷ୍ଟ ଗୋଲ କିପର ଭାବରେ ଟକର୍ଲା ଦଳର ଟୁଟୁ ମାଝୀ, ବେଷ୍ଟ ସ୍କୋରର ଭାବରେ କୁସୁମପଡା ଦଳର ଶଙ୍କର ମାଝୀ ଓ ବେଷ୍ଟ ରକ୍ଷଣଭାଗ ଖେଳାଳୀ ଭାବରେ ଟକର୍ଲାର କୈଳାସ ମାଝି  ପୁରସ୍କୃତ ହୋଇଥିଲେ। କଳାହାଣ୍ଡିର ସୁନାମଧନ୍ୟ ଉଦଘୋଷକ ଶଶିକାନ୍ତ ମାଝୀ ସମସ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆଦିବାସୀ ଫୁଟବଲ୍ ଟିମ୍ ର ସମସ୍ତ ଖେଳାଳୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.