ବାଲେଶ୍ବର ପ୍ରଶାସନ ପକ୍ଷରୁ ଆୟୋଜିତ ହେଲା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ସାଇବର୍ ଠକେଇ ପ୍ରତି ସଚେତନ ଓ ସତର୍କ ରହିବାକୁ ଅତିଥି ଦେଲେ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଗତକାଲି ‘ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା – ୨୦୨୫’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ବର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ପୂର୍ବାଞ୍ଚଳ ଡିଆଇଜି ଶ୍ରୀ ପିନାକ ମିଶ୍ର, ବାଲେଶ୍ୱର ଏସପି ଶ୍ରୀ ପ୍ରତ୍ୟୁଷ ଦିବାକର ଏବଂ ଉପ ଜିଲ୍ଲାପାଳ ଶ୍ରୀ ଶିବା ମାଳବ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ନାଗରିକମାନଙ୍କୁ ସାଇବର ଠକେଇ ପ୍ରତି ସଚେତନ ଓ ସତର୍କ ରହିବା ପାଇଁ ପରାମର୍ଶ ଦେଇ ଲୋଭନୀୟ ପ୍ରଲୋଭନରେ ପଡ଼ି ଆର୍ଥିକ ଠକେଇର ଶିକାର ନ ହେବାକୁ ଆହ୍ୱାନ ଦେଇଥିଲେ। ବିଧାୟକ ଶ୍ରୀ ଦତ୍ତ ଏହି ଅଭିଯାନକୁ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉଲ୍ଲେଖ କରି ସାଇବର ସଚେତନତା ପାଇଁ ଯୁବ ବର୍ଗଙ୍କ ଭୂମିକା ଉପରେ ଜୋର ଦେଇଥିଲେ।

ଡିଆଇଜି ଶ୍ରୀ ମିଶ୍ର ନୂତନ ପ୍ରଯୁକ୍ତିର ସହିତ ଆସୁଥିବା ସାଇବର ଠକେଇର ବିଭିନ୍ନ ସ୍କାମ୍ ସମ୍ପର୍କରେ ସତର୍କ କରାଇ ସାଇବର ହେଲ୍ପଲାଇନ୍ ୧୯୩୦ର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ମାଳବ୍ୟା ସାଇବର ହାଇଜିନ୍ ଓ ଡିଜିଟାଲ ସତର୍କତା ବଜାୟ ରଖିବାର ପରାମର୍ଶ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା କ୍ୱିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସାଇବର ସୁରକ୍ଷା ରଥକୁ ଫ୍ଲାଗ୍ ଅଫ୍ କରାଯାଇଥିଲା। ଆରକ୍ଷୀ ଅଧିକ୍ଷକ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.