ଏକତା ପାଇଁ ଗଣ ଦୌଡରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସେବା ସହଯୋଗ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ତଥା ସ୍ୱାଧୀନ ଭାରତର ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସୌରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପକ୍ଷ ଅବସରରେ ଏକତାର ବାର୍ତ୍ତା ନେଇ ସଦର ଥାନା ଦ୍ୱାରା ଆୟୋଜିତ ଗଣଦୌଡରେ ଭାଗ ନେଇଥିବା ପଦାଧିକାରୀ ଓ ସାଧାରଣ ଜନତାଙ୍କୁ ‘ଆଞ୍ଚଳିକ ସୁରକ୍ଷା ମଞ୍ଚ’ ତରଫରୁ ସେବା ପ୍ରଦାନ କରାଯାଇଥିଲା।

ଭାରତର ସ୍ୱାଧୀନତା ସଂଗ୍ରାମରେ ଦକ୍ଷ ପରିଚାଳକ ତଥା ସ୍ୱାଧୀନ ଭାରତର ଦକ୍ଷ ନେତୃତ୍ୱ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ୱାଧୀନ ଭାରତରେ ଥିବା ଛୋଟ ବଡ ସମେତ ୫୬୨ ଗଡଜାତମାନଙ୍କୁ ବିନା ରକ୍ତପାତରେ ନିଜର ଦକ୍ଷତା ବଳରେ ସ୍ୱାଧୀନ ଭାରତରେ ସାମିଲ କରିବା ସହ ଭାରତର ଅଖଣ୍ଡତାର ଶ୍ରୀବୃଦ୍ଧି କରିଥିଲେ। ବିଲକ୍ଷଣ ପ୍ରତିଭାଧାରୀ ବିରଳ ବ୍ୟକ୍ତିତ୍ୱଙ୍କ ଜନ୍ମଦିନରେ ବାଲେଶ୍ୱର ସଦର ଥାନା ପକ୍ଷରୁ ଆୟୋଜିତ ଗଣଦୌଡରେ ଦକ୍ଷ ଯୁବ ଥାନାଧିକାରୀ ସାଲଖାନ ମୁର୍ମୁ ସହିତ କୋଡିଏ ରୁ ଅଧିକ ଜଣ ବିଭାଗୀୟ ବିଭିନ୍ନ ପଦାଧିକାରୀ ସମେତ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ।

ଏହି ଅବସରରେ ସମାଜ ପ୍ରତି ଉତ୍ସର୍ଗୀକୃତ ସ୍ଥାନୀୟ ଯୁବକମାନଙ୍କୁ ନେଇ ଗଠିତ ଆଞ୍ଚଳିକ ସୁରକ୍ଷା ମଞ୍ଚ, ବାଲେଶ୍ୱର ଏକତାର ବାର୍ତ୍ତା ନେଇ ଦୌଡୁଥିବା ଘରୋଇ ବିଭାଗର ବିଭିନ୍ନ କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କୁ ଓଆରଏସ, ଟାଟା ଗ୍ଲୋକାନ, ଥଣ୍ଡା ଜଳ, ବିଭିନ୍ନ ଫଳ, ଜଳଖିଆ ବିଭିନ୍ନ ସ୍ଥାନରେ ପ୍ରଦାନ କରି ଉତ୍ସାହିତ କରିଥିଲେ।

ଏହି ଗଣଦୌଡ ସଦର ଥାନା ଠାରୁ ବାହାରି କୁରୁଡ଼ା ଛକ ଦେଇ ଜିଲ୍ଲା ମୁଖ୍ୟ ସଡ଼କରେ ଥିବା ତାମୁଳିଆ ଉଡ଼ନ୍ତା ପୋଲ ପୂର୍ବରୁ ଶେଷ ହୋଇଥିଲା। ଗଣ ଦୌଡକୁ ବରେଣ୍ୟ ରେମୁଣା ବିଧାୟକ ଓ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ। ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ ନୀଳଗିର ଗଡ଼ଜାତ ସ୍ୱାଧୀନ ଭାରତରେ ଓଡ଼ିଶାର ପ୍ରଥମ ଗଡଜାତ ଭାବରେ ସାମିଲ ହୋଇଥିବାରୁ ବାଲେଶ୍ୱର ସହରରେ ସ୍ମୃତି ବାହକ ରୂପେ ସେହି ପବିତ୍ର ଆତ୍ମାଙ୍କର ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସୁରକ୍ଷା ମଞ୍ଚ ତରଫରୁ ଦାବି କରାଯାଇଥିଲା। ପଚାଶରୁ ଅଧିକ ଆଞ୍ଚଳିକ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ଓ ସାଧାରଣ ସଭ୍ୟ ସମସ୍ତ କାର୍ଯ୍ୟ ସୁପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.