୩୬ ବର୍ଷର ଜାତୀୟସ୍ତରୀୟ ‘ଚନ୍ଦ୍ରଭାଗୋତ୍ସବ’ ପାଇଁ ଅନୁଷ୍ଠିତ ହେଲା ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାର୍ଷିକ ଚନ୍ଦ୍ରଭାଗୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଗତକାଲି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ଜାତୀୟସ୍ତରୀୟ ଚିତ୍ରକଳା, ବହୁଭାଷୀ ସଂଗୀତ, ନାଟକ-କଥା-କବିତା ତଥା ‘ବହିମେଳା’ର ଆୟୋଜନ ଚନ୍ଦ୍ରଭାଗା ଅନୁଷ୍ଠାନର ଜନ୍ମଦିନ ବର୍ଷ ଶେଷ ଏବଂ ବର୍ଷ ଆରମ୍ଭ ଅବକାଶରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ ୨୮ ଡିସେମ୍ବର ୨୦୨୫ ରୁ ୩ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ୭ ଦିନବ୍ୟାପୀ ଅନୁଷ୍ଠିତ ହେବାର ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠାନର ଉପଦେଷ୍ଟା ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ପୌରୋହିତ୍ୟରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସଦସ୍ୟ ଅଧ୍ୟାପକ ଡକ୍ଟର ଶଶିକାନ୍ତ ମହାନ୍ତି ଏହାକୁ ସଂଯୋଜନା କରିଥିବା ବେଳେ ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା ସଂପାଦକ କବି ଶ୍ରୀଦେବ, ‘ଚିତ୍ରକଳା’ ଅନୁଷ୍ଠାନ ଆନୁକୂଲ୍ୟରେ ହୋଇଥିବା ୧୮୦ରୁ ଊର୍ଦ୍ଧ୍ବ ଜାତୀୟସ୍ତରରେ ବହୁଭାଷୀ କ୍ଷୁଦ୍ରନାଟକ, ଜାତୀୟସ୍ତରରେ ହେଉଥିବା ବିଭିନ୍ନ ଚିତ୍ରକଳାର ଆୟୋଜିତ କର୍ମଶାଳା, ବହୁଭାଷୀ କଥା-କବିତା ଓ ବିତର୍କର ସୃଜନସ୍ରଷ୍ଟାଙ୍କ ସମାବେଶ ସଂପର୍କରେ ଆଲୋକପାତ କରିବା ସହ ସମକାଳର ଉତ୍କୃଷ୍ଟ ‘ସୃଜନାକ୍ଷର’ ଏବଂ ସ୍ରଷ୍ଟା ତିଆରିର ନିରବଚ୍ଛିନ୍ନ ଉତ୍କଣ୍ଠାରେ ‘ଚନ୍ଦ୍ରଭାଗା’ ଅନୁଷ୍ଠାନର ଜନ୍ମଦିନ ଠୁ ଅଦ୍ୟାବଧି ତରୁଣ ବୟସ ପର୍ଯ୍ୟନ୍ତ ଲକ୍ଷ୍ୟଚ୍ୟୁତ ହୋଇନଥିବାର ଦୃଢୋକ୍ତି ପ୍ରକାଶ କରିଥିଲେ। ବୈଠକରେ ଉପସ୍ଥିତ ସର୍ବଶ୍ରୀ ପ୍ରଦୀପ୍ତ ପଣ୍ଡା, ସରକାରୀ ଓକିଲ ଅଶୋକ ସେନାପତି, କବି ସିତାଂଶୁ ଲେଙ୍କା, ଶିଶୁ ସାହିତ୍ୟିକ ଲକ୍ଷ୍ମୀଧର ମହାନ୍ତି, ଚିତ୍ରଶିଳ୍ପୀ କେଶୁଦାସ, ମରୁତ୍ ରାଉତ, ପ୍ରାକ୍ତନ ଅଧ୍ଯକ୍ଷ ଓ ‘ବାର୍ତ୍ତାଊର୍ମି’ର ସିଦ୍ଧହସ୍ତ ସଂଯୋଜକ ରାମଚନ୍ଦ୍ର ସାହୁ, ବିଶିଷ୍ଟ ନାଟ୍ୟକାର ଅଭିନେତା-ନିର୍ଦ୍ଦେଶକ ଆଶିଷ ଚକ୍ରବର୍ତ୍ତୀ, ଗବେଷକ ଡକ୍ଟର ଦିଲ୍ଲୀପ ରଥ, ବିଶିଷ୍ଟ ସାମାଜିକ କର୍ମୀ ଯାଦବେଶ ମିଶ୍ର (ବିଭୁ), ‘ନାଚ୍’ର ପ୍ରତିଷ୍ଠାତା ଅରୁଣାଂଶୁ ପାଣିଗ୍ରାହୀ, ରୋନାଲିସା ପଣ୍ଡା, ବରିଷ୍ଠ ଆଇନଜୀବୀ ପର୍ଶୁରାମ ପ୍ରଧାନ, ତୁଷାରକାଂତ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ଯୁବ ଗାଳ୍ପିକ ସଂଜୟ ପଣ୍ଡା, ‘ଚନ୍ଦ୍ରଭାଗା’ର ଆଜୀବନ ସଦସ୍ୟ ସନ୍ତୋଷ ପଣ୍ଡା, ଜଗବନ୍ଧୁ ପୃଷ୍ଟି ଏବଂ ଅନୁଷ୍ଠାନର ସଦସ୍ୟ ସମାଜସେବୀ ଅବନୀ ଜେନା, ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ ନିଜ ନିଜର ଅଭିବ୍ୟକ୍ତି ମାଧ୍ୟମରେ ଆନୁଷ୍ଠାନିକ ତ୍ରୁଟିବିଚ୍ୟୁତି ଏବଂ ସଫଳତା ସମ୍ବନ୍ଧରେ ନିଜନିଜର ଦୃଢ଼ ମତପୋଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବବତ୍ ଖୁବ୍ ନିକଟ ଭବିଷ୍ୟତରେ ‘ଚନ୍ଦ୍ରଭାଗା’ ପତ୍ରିକାର ମାସିକ ସଂସ୍କରଣ ପୁନଃ ପ୍ରକାଶନ ପ୍ରସ୍ତାବ ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.