ଡିସେମ୍ବର ୬ରୁ ୩୩ତମ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ

ଦେବଗିରିରେ ଚାଲିବ ସମ୍ରାଟ ଗୋସିଂହ ଦୈତ୍ୟଙ୍କ ରାଜୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୩ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୫ ଆସନ୍ତା ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମାରସ୍ବାମୀ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିବ ‘ଗୋସିଂହ ଦୈତ୍ୟ ଦରବାର’। ପ୍ରାଚୀନ ଲୋକନୃତ୍ୟ ଡମ୍ ବଜା, ଢାପ୍, ବନାବାଡ଼ି, ଘୁମୁରା ସହ ରାଜ୍ୟର ଅନେକ ଲୋକସଂସ୍କୃତିରେ ଦୁଲୁକିବ ମଞ୍ଚ। ଲୋକଶ୍ରୁତି ଓ କିମ୍ବଦନ୍ତୀ ଅନୁସାରେ ମହିଷାସୁରଙ୍କ ଅଣନାତି ସମ୍ରାଟ ଗୋସିଂହ ଦୈତ୍ୟ ଅସୁରଗଡ଼ରେ ରାଜୁତି କରିବା ସହ ଦେବଗିରି (ପ୍ରାଚୀନ କନକଗିରି)ରେ ଶିବ ଉପାସନା କରୁଥିଲେ। ଦେବଗିରି-ବୁଢ଼ୀପଦର ଅଞ୍ଚଳ ପ୍ରାଚୀନ ଆଟବିକ ସଭ୍ୟତାର ଏକ ଅଭିନ୍ନ ଅଙ୍ଗ। ତେଣୁ ଗୋସିଂହ ଦୈତ୍ୟ ଦରବାର ମାଧ୍ୟମରେ ନୂତନ ପିଢ଼ିକୁ ଆଟବିକ ସଭ୍ୟତା ସହ ପରିଚିତ କରାଇବାକୁ ପ୍ରଚେଷ୍ଟା କରାଯାଇଛି ବୋଲି ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି। ଗୋସିଂହ ଦୈତ୍ୟ ଭୂମିକାରେ ଅଭିନୟ କରିବେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ। ଏହି ମହୋତ୍ସବରେ ଡମ୍ ବଜା, ଶିଙ୍ଗ୍ ବଜା, ବଜାଶାଲ୍, ଢାପ୍, ବନାବାଡ଼ି, ଘୁଡୁକା, ଓଡ଼ିଶୀ, ଖଞ୍ଜଣି ସହ ଯାଦବ ଝିଅମାନଙ୍କ ବାଡ଼ିଖେଳ, ଦୁର୍ଲାନଚା, ସୋନପୁରର ମାଁ ତୁଳସୀ ମହିଳା ଦଣ୍ଡନୃତ୍ୟ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକନୃତ୍ୟ ପ୍ରଦର୍ଶିତ ହେବ। ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯିବାକୁ ସ୍ଥିରୀକୃତ ହୋଇଛି। ଅଳ୍ପ ଦିନ ମଧ୍ୟରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ ସହ ଦେବଗିରି ଯୁବ ସମ୍ମାନ, ଦେବଗିରି ସାହିତ୍ୟ ସମ୍ମାନ, ଦେବଗିରି ଲୋକକଳା ସମ୍ମାନ, ଦେବଗିରି ସାମ୍ବାଦିକତା ସମ୍ମାନ, ଦେବଗିରି କୃଷି ସମ୍ମାନ, ଦେବଗିରି ସମାଜସେବା ସମ୍ମାନ, ଦେବଗିରି ନାରଦ ସମ୍ମାନ, ଦେବଗିରି ଶିକ୍ଷା ସମ୍ମାନ, ଦେବଗିରି ବାର୍ତ୍ତା ସମ୍ମାନ, ଦେବଗିରି ଦେଶସେବା ସମ୍ମାନ, ଦେବଗିରି ଗୁରୁ ସମ୍ମାନ, ଦେବଗିରି କ୍ରୀଡ଼ା ସମ୍ମାନ, ଦେବଗିରି ଶିଳ୍ପୀ ସମ୍ମାନ ଆଦି ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି। ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଆୟୋଜିତ ପ୍ରସ୍ତୁତି ବୈଠକ ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଉପସଭାପତି ଜୟଦ୍ରଥ ଜାଲ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ, କ୍ରୀଡ଼ା ସମ୍ପାଦକ ଅନୀଲ କୁମାର ଧଙ୍ଗଡ଼ାମାଝୀ, ସଂଗଠନ ସମ୍ପାଦକ ପ୍ରକାଶ କୁମାର ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ସୁରେଶ କୁମାର ଧଙ୍ଗଡ଼ାମାଝୀଙ୍କ ସମେତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.