ସଂସଦର ମିନି ଯୁଦ୍ଧକ୍ଷେତ୍ର : ଭବାନୀପାଟଣାରେ ରାଜନୈତିକ ରଙ୍ଗମଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯେମିତି ଦିଲ୍ଲୀର ସଂସଦ ଭବନରେ ବିରୋଧୀଙ୍କ ହଂଗାମା ଓ ଉତ୍ତେଜନାର ଝଡ଼ ଲାଗିଥାଏ, ଠିକ୍ ସେହିଭଳି ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ।

କଳାହାଣ୍ଡି ଜିଲ୍ଲାସ୍ତରୀୟ ଆଦର୍ଶ ସଂସଦ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାରତୀୟ ସଂସଦର କାର୍ଯ୍ୟଶୈଳୀକୁ ଅବିକଳ ଅନୁକରଣ କରି ତର୍କବିତର୍କ, ଆକ୍ଷେପ ଓ ଅଭିଯୋଗର ଝଡ଼ ତୋଳିଦେଇଥିଲେ।

ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୯ଟି ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟର ସାଂସଦ ଭାବେ ଅଂଶଗ୍ରହଣ କରି ବିଭିନ୍ନ ବିଲ୍ ସପକ୍ଷରେ ଓ ବିପକ୍ଷରେ ବିତର୍କ କରିଥିଲେ ଏବଂ ମତଦାନ ମଧ୍ୟ କରିଥିଲେ।

ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ବାଚସ୍ପତି ଭାବେ ସଂସଦର କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିବେକାନନ୍ଦ ଛତର, ଡ. କୈଳାଶ ଚନ୍ଦ୍ର ଦାଶ, ଡ. ପବିତ୍ର ବାଗ ଓ ଡ. ଶୁଭମ୍ ତ୍ରିପାଠୀ ବିଚାରକ ରହିଥିଲେ।

ଛାତ୍ରୀ ଶ୍ଵେତାପ୍ରଭା ଗୋପାଳ ଓ ଈଶା ଦୁର୍ଗା ସାମ୍ୱାଦିକା ଭାବେ ସାଂସଦମାନଙ୍କ ସାକ୍ଷାତକାର ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ପଚାରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ମୁଖ୍ୟ ଅତିଥି, ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ବ୍ରଜମୋହନ ହାଇସ୍କୁଲ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ସମଗ୍ର ଶିକ୍ଷା ଯୋଜନା ସଂଯୋଜିକା ନୀହାରିକା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମ ପରେ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସିଆରସିସି ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଧନ୍ୟବାଦ ଦେଇଥିଲେ।

ଶ୍ରେଷ୍ଠ ଭାବେ ପୁରସ୍କୃତ ଛାତ୍ରୀ ନିବେଦିତା ନାଏକ ଓ କମଳିନୀ ସିଂ ଆସନ୍ତା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.