କଳାହାଣ୍ଡି ଯୁବ ଲେଖକ ସମାବେଶର କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିସଭା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଓଡ଼ିଆ କବିତା ଜଗତରେ ନିଜର ସ୍ୱତନ୍ତ୍ର ଶୈଳୀ ସହିତ ନିଜର ସ୍ୱକୀୟ ଭାବଭଙ୍ଗୀର ପରିପ୍ରକାଶ କରିବାରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। ସେହିପରି ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିବାରେ ତାଙ୍କର ଲେଖନୀ ଚାଳନା ସଫଳତା ଲାଭ କରିଥିଲା। କାରଣ ସେ ଜାଣିଥିଲେ କବିତାରେ ଜୀବନ ଜୀଇଁବାର କଳା। ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ହୋଇଥିବାବେଳେ ସାହିତ୍ୟ କୃତୀ ତାଙ୍କୁ ଚିରଅମର କରି ରଖିବ ବୋଲି ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିରେ ଆଜି ସ୍ଥାନୀୟ ଗ୍ରୀନ ଭେଲି ପବ୍ଲିକ ସ୍କୁଲରେ ଅନୁଷ୍ଠିତ ‘କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିସଭା’ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଯୁବ ଲେଖକ ସମାବେଶ ଦ୍ୱାରା ଅନୁଷ୍ଠିତ ଏହି ସ୍ମୃତିସଭାରେ ଗାଳ୍ପିକ ତଥା ‘ମହୁରି’ ଓ ‘ସମୟର ଆକାଂକ୍ଷା’ ପତ୍ରିକାର ସଂପାଦକ ସୁକାନ୍ତ ସାହୁ, କବି ଓ ଗବେଷକ ଡ. ପରମେଶ୍ୱର ମୁଣ୍ଡ, ଦ୍ବିଭାଷୀ କବି ଡ. ତପନ କୁମାର ରଥ, କବି ସକିତ ରତେ, ପ୍ରକାଶ ନିଶଙ୍କ, ଗ୍ରୀନ ଭେଲି ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ମନୋରଞ୍ଜନ ବଛା ପ୍ରମୁଖ ଯୋଗଦେଇ କବିଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଲେଖକୀୟ କୃତୀ ଓ ସ୍ୱୀକୃତି ସମ୍ପର୍କରେ ଚର୍ଚ୍ଚା କରିଥିଲେ। କଳାହାଣ୍ଡି ଯୁବ ଲେଖକ ସମାବେଶର ସଭାପତି ତଥା ଯୁବକବି ଯାଦବେନ୍ଦ୍ର ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କଳାହାଣ୍ଡି ଯୁବ ଲେଖକ ସମାବେଶର ଉପଦେଷ୍ଟା ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ। ଏଥିରେ କବି ଯୁଧିଷ୍ଠିର ମୁଦୁଲି, ଐଶ୍ଚର୍ଯ୍ୟା ପ୍ରଧାନଙ୍କ ସମେତ ଅନ୍ୟମାନେ କବିଙ୍କ ସ୍ମୃତିଚାରଣ ସହିତ କବିଙ୍କ ରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ସଭାପତି ଶ୍ରୀ ସାହା ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.