ଲାଖବାହାଲି ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣରେ ବିଳମ୍ବ: ଦୁଇ ବର୍ଷ ହେଲା କାମ ବନ୍ଦ କରି ଦେଇଛନ୍ତି ଠିକାଦାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ସ୍ଵାସ୍ଥ୍ୟ ଉପକେନ୍ଦ୍ରର ପୁରୁଣା କୋଠା ଏଯାଏଁ ହସ୍ତାନ୍ତର ହୋଇନି। ତେବେ ପୁଣି ଏକ ନୂଆ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ନିମ୍ନ ମାନର କାମକୁ ନେଇ ପଞ୍ଚାୟତବାସୀ ବିରୋଧ କରିଥିଲେ।ଫଳରେ ବର୍ଷେ ହେଲା କାମ ବନ୍ଦ କରିଛି ଠିକାଦାର।ଏଣୁ ଜରୁରୀ କାଳୀନ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ଲୋକେ ବଞ୍ଚିତ ହେଉଥିବା ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହିଛି ଲାଖବାହାଲି ପଞ୍ଚାୟତ।ଏହି ପଞ୍ଚାୟତରେ ୧୭ ଗୋଟି ଗ୍ରାମ ରହିଥିବା ବେଳେ ବାରଗୁଡା, ପଣସ ପଦର, ପଟାଙ୍ଗ ପଦର, ସରଗୁଡା, ତିର୍କୀଝୁଲା, ବଣ୍ଡେଲ, ଡକରିଗୁଡା ଓ ମୁଣ୍ଡାଙ୍ଗ ପଦର ଗାଁ ମାନଙ୍କୁ ରାସ୍ତା ନାହିଁ।ଏହି ଗାଁ ଲୋକେ ଗୁରୁତର ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଆଣିଥିବା ଦୃଶ୍ୟମାନ ବାରମ୍ବାର ଦେଖିବାକୁ ମିଳିଥିଲା।ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବା ବେଳେ ଏକ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରି ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପଞ୍ଚାୟତବାସୀ ଏହାକୁ ନେଇ ବ୍ଳକ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ତରରେ ବାରମ୍ବାର ଅଭିଯୋଗ ପରେ ୨୦୧୫ ମସିହାରେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ ପାଇଁ ସରକାର ଅନୁମତି ଦେଇଥିଲେ। ଏଥିପାଇଁ କୋଠା ନିର୍ମାଣ ହୋଇଥିଲା। ଭବାନୀପାଟଣାର ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ ୨୦୧୬ ମସିହାରେ ସଂପୂର୍ଣ୍ଣ କରିଥିଲେ। କିନ୍ତୁ ସଂପୂର୍ଣ୍ଣ ହେବାର ୮ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇ ନାହିଁ। ଏବେ ସେହି କୋଠାଟି ମୁଖ୍ୟ ରାସ୍ତା କଡରେ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ହୋଇ ରହିଛି। ପୁଣି ଗତ ୨୦୨୩ ମସିହାରେ ପୂର୍ବ ସ୍ଵାସ୍ଥ୍ୟ ଉପକେନ୍ଦ୍ର କୋଠାର ୩୦୦ ଶହ ମିଟର ବ୍ୟବଧାନରେ ଆଉ ଏକ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହି କାମ ଅତି ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସେହିପରି କାମର ଫଳକ ବି ଲଗାଯାଇ ନାହିଁ। ନିୟମ ଉଲଂଘନ କରି ଏହି କାମ ଚାଲୁଥିବାରୁ ପଞ୍ଚାୟତବାସୀ ବିରୋଧ କରିଥିଲେ। ଫଳରେ ପ୍ରାୟ ୨ବର୍ଷ ହେବ କାମ ବନ୍ଦ ରହିଛି। ଅନ୍ୟପକ୍ଷେ ଦାଇତ୍ଵରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଜସ୍ଵ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନଥିବା ଯୋଗୁଁ ଲୋକଙ୍କ ଘର ବାରଣ୍ଡା, ଗଛମୂଳେ ନିୟମିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହେଉନାହିଁ। ଏନେଇ ସରପଞ୍ଚ ପଦ୍ମିନୀ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ ଉପ ସ୍ବାସ୍ଥ୍ୟକେନ୍ଦ୍ର ୨ବର୍ଷ ହେଲା କାମ ବନ୍ଦ ପଡିଛି।ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେବି ଶୁଣୁନାହାନ୍ତି। ଯାହା ଫଳରେ ସ୍ୱାସ୍ଥ୍ୟ ସେବାରେ ଅସୁବିଧା ଦେଖା ଦେଇଥିବା ପ୍ରକାଶ କରିଛନ୍ତି।ଏନେଇ କାର୍ଯ୍ୟର ତଦାରଖ କରୁଥିବା ବ୍ଲକ କନିଷ୍ଠ ଯନ୍ତ୍ରୀ ଲଳିତ ମାଝୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.