ଅମୃତ ସରୋବର କାମକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ସଦର ପଞ୍ଚାୟତରେ ଥିବା ଦେବଗିରି ଶୈବପୀଠ ପାଦ ଦେଶରେ ଚାଲିଥିବା ଅମୃତ ସରୋବର କାମକୁ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତିନି ବର୍ଷ ତଳେ ଦେବଗିରି ଶୈବପୀଠ ନିକଟରେ ଥିବା ନାଳକୁ ଆଡ଼ିବନ୍ଧ ବାନ୍ଧି ପୋଖରୀର ରୂପ ଦେଇ ଅମୃତ ସରୋବର ଭାବେ ପରିଣତ କରିବା ନିମନ୍ତେ ମନରେଗା ଯୋଜନାରୁ ୪୦ ଲକ୍ଷ ଟଙ୍କା ଅନୁଦାନ ବ୍ୟୟ ବରାଦର ଲକ୍ଷ୍ୟ ରଖା ଯାଇଥିଲା । ପ୍ରଥମେ ୧୦ଲକ୍ଷ ଟଙ୍କାର ଫାଇଲ୍‌ ଖୋଲା ଯାଇ କାମ ଆରମ୍ଭ କରାଯାଇଥିଲା । କିନ୍ତୁ ଏହି କାମ ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି । ଅନ୍ୟପଟେ ଶିବରାତ୍ର ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶୈବପୀଠକୁ ଆସୁଥିବା ଭକ୍ତମାନଙ୍କ ପାଇଖାନା ପାଲଟିଛି ଏହି ପୋଖରୀ । ପୋଖରୀ ଚାରିପଟେ ପଥର ପ୍ୟାକିଂ, ପୋଖରୀ ହୁଡ଼ାରେ ପରିଭ୍ରମଣ ରାସ୍ତା, ଉଦ୍ୟାନ ସହ ଉଦ୍ୟାନ ପାହାଚ ଭଳି କାମ କରାଗଲେ ପୋଖରୀଟି ଅମୃତ ସରୋବର ରୂପ ନେଇପାରିବ ଏବଂ ଲୋକେ ମଧ୍ୟ ସରୋବର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । କିନ୍ତୁ କାମ ବନ୍ଦ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ଜନପ୍ରତିନିଧି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ବ୍ଲକ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ପୂର୍ବତନ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ସମୟରେ ଏହି କାମ ଫାଇଲ ହୋଇଥିଲା । ନୂତନ ଫାଇଲ୍‌ ଟିଏ ଖୋଲା ହେଲେ କାମ କରାଯିବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.