ଡ. ଚନ୍ଦ୍ରଶେଖର ହୋତା ପାଇଲେ ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ଵର ବେହେରା ସାହିତ୍ୟ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୬୧ତମ ମହାବୀର ମହୋତ୍ସବ ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ଡ.ଚନ୍ଦ୍ରଶେଖର ହୋତାଙ୍କୁ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ଵର ବେହେରା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି।

ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ପ୍ରାକ୍ତନ ସଭାପତି ଜୟନ୍ତ କୁମାର ବେହେରା ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଇଂ ସୁଜିତ କୁମାର ଯୋଗଦେଇଥିଲେ। ଏଥିସହ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା, ଉପ-ସଭାପତି ସଞ୍ଜୟ କୁମାର ଓ ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ ମଞ୍ଚାସୀନ ଥିବା ବେଳେ ସଂଯୁକ୍ତ ସାଧାରଣ ସଂପାଦକ ସଞ୍ଜୀବ କୁମାର ସିଂହ ମଞ୍ଚ ପରିଚାଳନା କରିଥିଲେ। ମାନପତ୍ର ପାଠ କରିଥିଲେ ଗବେଷକ ପରମେଶ୍ବର ମୁଣ୍ଡ।

ଡ. ହୋତା ‘କଳ୍ପନା, ଅନୁଭବ ଓ ସାହିତ୍ୟ’, ‘ଚେତନାର ଅନ୍ୱେଷଣ’, ‘ସାଂସ୍କୃତିକ ଆହ୍ବାନ’, ‘ବିବେକ ବିଲୋଚନ’ ସମେତ ଦୁଇଟି ଅନୁବାଦ ପୁସ୍ତକ, ଅନେକ ସଙ୍କଳନ ସଂପାଦନା ତଥା ସ୍ତମ୍ଭ ଲେଖନରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପ୍ରବନ୍ଧରେ ତତ୍ତ୍ଵ, ତଥ୍ୟ ଓ ଦର୍ଶନର ଗଭୀର ଅବବୋଧ ସହ ପରିବେଷଣରେ ତାଙ୍କର ସ୍ଵାତନ୍ତ୍ର୍ୟ ସର୍ବଜନାଦୃତ।

ସାହିତ୍ୟ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରବନ୍ଧ ସମ୍ମାନ, କଳା ଭୂମି ସମ୍ମାନ ଭଳି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। ଏଥିସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ସାହିତ୍ୟକୁ ପ୍ରତିନିଧିତ୍ବ କରିଛନ୍ତି।

ସଂପ୍ରତି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଭାବେ ଅବସ୍ଥାପିତ। ପୁରସ୍କାର ଗ୍ରହଣ ପରେ ସେ ଅନୁଷ୍ଠାନକୁ କୃତଜ୍ଞତା ଜଣାଇବା ସହ ଏହା ତାଙ୍କୁ ଅଧିକ ଦାୟିତ୍ଵବାନ୍ କରାଇବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.