ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ଏକ ନୂତନ ଅଙ୍ଗନୱାଡ଼ିକେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ। କିନ୍ତୁ ଏହି ନୂତନ ଅଙ୍ଗବାଡିକେନ୍ଦ୍ରଟି ନିର୍ମାଣ ଆରମ୍ଭ ହୋଇ ୧୦ ବର୍ଷ ଓ ସମ୍ପୂର୍ଣ୍ଣ ହୋଇ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପାଖରେ ହସ୍ତାନ୍ତର ହୋଇନାହିଁ। ଯାହା ଫଳରେ ବିପଦ ସଂକୁଳ ସ୍କୁଲ ବାରଣ୍ଡାରେ କୋମଳମତି ଶିଶୁ ମାନେ ବସିବାକୁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସହରସ୍ଥିତ ୧ ନମ୍ବର ୱାର୍ଡ ମହାଦେବପଡ଼ା ଓ ପ୍ରଧାନୀପଡ଼ାରେ ୧୯୮୧ ମସିହା ଠାରୁ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ଲୋକଙ୍କ ଘର ବାରଣ୍ଡାରେ କେନ୍ଦ୍ର ଚାଲିଥିଲା। ଏକ ଅଙ୍ଗନୱାଡ଼ି କେନ୍ଦ୍ରର ଆବଶ୍ୟକତା ଉପଲବ୍ଧି କରି ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ୨୦୧୫ ମସିହାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା।କିନ୍ତୁ ଗୃହ କାମଟି ମନ୍ଥର ଗତିରେ ଚାଲିଥିଲା। ବର୍ତ୍ତମାନ ୨୦୨୧ ମସିହାରେ ଅଙ୍ଗନୱାଡ଼ିକେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଆରମ୍ଭରୁ ବର୍ଷକୁ ହିସାବକୁ ନେଲେ ବିତି ଯାଇଛି ୧୦ ବର୍ଷ।ତଥାପି ଗୃହ ନିର୍ମାଣ ହୋଇ ହସ୍ତାନ୍ତର ହୋଇନଥିବାରୁ ଲୋକଙ୍କ ଘର ଉଛୁଣା ତଳେ, ବିଭିନ୍ନ ଅନୁଷ୍ଠିତ ମାନଙ୍କ ବାରଣ୍ଡାରେ ଏଭଳି ବିଭିନ୍ନ ସ୍ଥାନରେ ଅସ୍ଥାୟୀ ରୂପେ ଚାଲିଆସୁଛି କେନ୍ଦ୍ର।କେନ୍ଦ୍ର ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଟି ସ୍ଥାନ ବଦଳାଇଥିବା ପରେ ଶେଷରେ ରାଜାରାଜୁଡା ଅମଳରୁ ରହିଥିବା ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାରେ ଚଲାଇ ଛନ୍ତି କେନ୍ଦ୍ର।ଏହି ବିଦ୍ୟାଳୟଟି ୧୮୯୧ ମସିହାରେ ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ସ୍କୁଲର ସ୍ଥିତି ଠିକ ନାହିଁ, ମଝିରେ ମଝିରେ କାଠ ଖଣ୍ଡ ଖସୁଛି। କୋମଳମତି ଶିଶୁଙ୍କ ଉପରେ ସବୁବେଳେ ଝୁଲୁଛି ବିପଦ। କାରଣ ଭଙ୍ଗା ଦଦରା ସ୍କୁଲ ବାରଣ୍ଡାରେ ଲେଖାଯାଇଛି ୨୭ ଛୁଆଙ୍କ ଭବିଷ୍ୟତ। ଅନ୍ୟ ପକ୍ଷରେ ନୂତନ ଅଙ୍ଗବାଡି କେନ୍ଦ୍ର ଗୃହ ୪ ବର୍ଷ ହେଲା ଶେଷ ହୋଇଛି।କିନ୍ତୁ ସମ୍ପୃକ୍ତ ଠିକାଦାରଙ୍କୁ ଏଯାଏଁ ପ୍ରାପ୍ୟ ମିଳିନାହିଁ। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଶେଷରେ ନୂଆ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲାଇଦେଇଛନ୍ତି ଠିକାଦାର ଜଣକ। ଯାହାଫଳରେ ଏତେ ସଂଖ୍ୟକ ଶିଶୁ ଭଙ୍ଗାଦଦରା ସ୍କୁଲ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏଥିପ୍ରତି ବ୍ଲକ ପ୍ରଶାସନ, ବ୍ଲକ ଶିଶୁ ମଙ୍ଗଳ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ସିଡିପିଓ ନିରୁପମା ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।





