କୋକସୁର ଗାଁରେ ଅପହଞ୍ଚ ମୌଳିକ ସୁବିଧା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍କ ଅଧିକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ କୋକସୁର ବାସିନ୍ଦାଙ୍କ ପାଇଁ ଆଜିବି ଅପହଞ୍ଚ ମୌଳିକ ସୁବିଧା। ଗାଁରେ ରହନ୍ତି ୨୨ଟି ଆଦିବାସୀ ପରିବାର ହେଲେ ଗାଁରେ ପାନୀୟଜଳ ପାଇଁ ଭଲ ବ୍ୟବସ୍ଥା ନାହିଁ। ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ବିଦ୍ୟାଳୟ ନାହିଁ, ଅଙ୍ଗନବାଡ଼ି କେନ୍ଦ୍ର ନାହିଁ କି ସ୍ବାସ୍ଥ୍ୟସେବା ବି ନାହିଁ । ସତେ ଯେମିତି ନାହିଁ ନାହିଁରେ ବନ୍ଧା ପଡ଼ିଛି କୋକସୁର ଗାଁର ଭାଗ୍ୟ। ପ୍ରଶାସନ ପକ୍ଷରୁ କାମ ନମିଳିବା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ସବୁବେଳେ ଦୟନୀୟ। ବହୁ ବର୍ଷ ପରେ ନୂତନ ଭାବେ ଆଦିବାସୀ ବୋଲି ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘରଖଣ୍ଡେ ଗତ ବର୍ଷ ୭ ପରିବାରଙ୍କୁ ମିଳିଥିବା ବେଳେ ଚକିତ ବର୍ଷ ୧୦ ଜଣଙ୍କୁ ମିଳିଛି। କିନ୍ତୁ ରାସ୍ତା ନଥିବା ଯୋଗୁଁ ଘର କରିବା କଷ୍ଟକର ହୋଇ ପଡ଼ିଛି। ଗାଁରେ ଗୋଟିଏ ନଳକୂଅ ଥିବା ବେଳେ ବହୁବର୍ଷ ହେଲା ତାହା ଅଚଳ ହୋଇପଡ଼ିଛି।ତେଣୁ ଗାଁ ଠାରୁ ଅଧା କିମି ଦୂରରେ ଥିବା ଚାଷ ଜମିରେ କୁଣ୍ଡ କରି ଖୋଲା ଆକାଶ ତଳେ ଥିବା ସେହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗତ ୧୧ ବର୍ଷ ତଳୁ ବିଜୁଳି ସଂଯୋଗ ପାଇଁ ଖୁଣ୍ଟ ପୋତାଯାଇ ତାର ଟଣାଯାଇଛି। ହେଲେ ସଂଯୋଗ ନଥିବାରୁ ଏବେ ବି ଅନ୍ଧାରରେ ରହୁଛି ଗାଁ।ଆଜି ପର୍ଯ୍ୟନ୍ତ କୌଣସି ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିନାହିଁ। ଏସବୁ ସମସ୍ୟା ନେଇ ଗାଁ ଲୋକେ ଗତ ୨୦୨୦ ମସିହାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ୍ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ର ତତ୍କାଳୀନ ତହସିଲଦାର ମୁନୀନ୍ଦ୍ର ହୋନ୍ନାଙ୍ଗା ଓ ଏହାପରେ ଲାଞ୍ଜିଗଡ଼ ତତ୍କାଳୀନ ବିଡିଓ ଜିତେନ୍ଦ୍ର ମିଶ୍ର ଗାଁକୁ ଯାଇ ଗାଁର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଗାଁର ଯୁବକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇବା ସାଙ୍ଗକୁ ଅନ୍ୟ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତା ନିର୍ମାଣ ହୋଇଥିଲା। ପାନୀୟଜଳ ଯୋଗାଣ ପାଇଁ ଗାଁରେ ଦୁଇଟି ଗଭୀର ନଳକୂଅ ଖନନ କରାଗଲା। ବିଦ୍ୟୁତ ବିଭାଗ କର୍ମଚାରୀମାନେ ମଧ୍ୟ ପହଞ୍ଚି ଥିଲେ। ହେଲେ ସତେ ଯେମିତି ସେତିକିରେ ହିଁ ଉନ୍ନୟନ ମୂଳକ କାମ ଠପ୍ ହୋଇଗଲା। ଗାଁକୁ ଯାଇଥିବା କଚା ରାସ୍ତାଟି ବର୍ଷା ପାଣିରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ବାଇକ୍ ଯିବା ବି କଷ୍ଟକର ସୋଇପଡିଛି।ଗ୍ରାମବାସୀଙ୍କୁ ଏଯାଏଁ ଜଙ୍ଗଲ ଜମି ପଟ୍ଟା କିମ୍ବା ପରିବାର ପ୍ରତିପୋଷଣ ପାଇଁ କାମ ମିଳିନାହିଁ।କେବଳ ପୋଡ଼ୁ ଚାଷ ଉପରେ ନିର୍ଭର କରିଥାନ୍ତି ଏହି ଆଦିବାସୀ ମାନେ। ଏନେଇ ସରପଞ୍ଚ ପୁରାଣା ମାଝୀଙ୍କ କହିବା ଅନୁଯାୟୀ, କୋକସୁର ଗାଁର ସମସ୍ୟା ନେଇ ସେ ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବାରମ୍ବାର ଅଭିଯୋଗ ଓ ଲାଞ୍ଜିଗଡ଼ ବିଧାୟକଙ୍କ ସହିତ ଆଲୋଚନା କରିବା ପରେ ଗତ ଜାନୁଆରି ମାସରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀମାନେ ଗାଁକୁ ଆସି ରାସ୍ତା ନିର୍ମାଣ ପାଇଁ ଦେଖିକି ଯାଇଥିଲେ।ଖୁବ ଶୀଘ୍ର ଗାଁକୁ ରାସ୍ତା କାମ ଆରମ୍ଭ ହେବ ବୋଲି କହିଥିଲେ।କିନ୍ତୁ ଇତିମଧ୍ୟରେ ୧୦ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ହୋଇ ପାରିଲା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।ଜିଲ୍ଲା ଓ ବ୍ଳକ ପ୍ରଶାସନ ଏହି ଗାଁ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗାଁର ୱାଡ଼୍ ମେମ୍ବର ଡମେ ମାଝୀ, ଚିତ୍ର ମାଝୀ, ରାଜୀବ ମାଝୀ, ଘାସି ମାଝୀ, କାଡ଼ମେ ମାଝୀ, ସାବି ମାଝୀ, ରାଜିଙ୍ଗ ମାଝୀ, ଶିବ ମାଝୀଙ୍କ ସମେତ ଗ୍ରାମବାସୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.