୧୫ ବର୍ଷରୁ କମ ମହିଳା କ୍ରିକେଟ ଶିବିର ପାଇଁ ମନୋନୀତ ହେଲେ ସାନଭି ପ୍ରଜ୍ଞା ରାଉତ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଦଣ୍ଡପାଟ ଅଞ୍ଚଳ ମୁଷାପାଲି ଗ୍ରାମ ପଞ୍ଚାୟତ ଖପରାମାଲ ଗ୍ରାମର ଶିକ୍ଷକ ମୋହିତ କୁମାର ରାଉତ ଓ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତଙ୍କ ସାନଭି ପ୍ରଜ୍ଞା (ମାହୀ) କ୍ରିକେଟ ଜଗତରେ ଚମକ ଆଣିଛନ୍ତି। ଆସନ୍ତା ୧୫ ନଭେମ୍ବରରେ କଟକ ଠାରେ ହେବାକୁ ଥିବା ୧୫ ବର୍ଷରୁ କମ୍ ମହିଳା ଶିବିର ପାଇଁ ସେ ମନୋନୀତ ହୋଇଛନ୍ତି। ଏନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓଡ଼ିଶା କ୍ରିକେଟ୍ ସଂଘ ବାରବାଟୀ ଷ୍ଟାଡିୟମ୍, ସୁବ୍ରତ କୁମାର ବେହେରା ଇମେଲ ଜରିଆରେ ସାନଭି କୁ ଜଣାଇଥିବା ସୂଚନା ମିଳିଛି। ସାନଭି ପ୍ରଜ୍ଞାଙ୍କ ସହିତ କଳାହାଣ୍ଡିରୁ ଖୁସି ନିଆଲ ଓ ଭଜନୀ ନାଗ ମଧ୍ୟ ମନୋନୀତ ହୋଇଛନ୍ତି। ଏହି ୩ଜଣ ଛାତ୍ରୀ ମନୋନୀତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସାନଭି ପ୍ରଜ୍ଞା ପୂର୍ବରୁ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦିଲ୍ଲୀଠାରେ ହୋଇଥିବା ଜାତୀୟ କ୍ରୀଡ଼ା ସମ୍ମିଳନୀରେ ମଧ୍ୟ ଭାଗ ନେଇଥିଲେ। ଏହାବାଦ୍ ମାହୀ ପୂର୍ବରୁ କଳାହାଣ୍ଡି ଟିମ୍ ରେ ସାମିଲ ହୋଇ ରାଜ୍ୟସ୍ତରୀୟ ମହିଳା କ୍ରିକେଟ ପ୍ରତିଯୋଗିତାରେ ନିଜର କ୍ରିଡ଼ା ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି। ମାହୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.