ଯୁବ କବି ସୂର୍ଯ୍ୟସ୍ନାତ ତ୍ରିପାଠୀ ପ୍ରଥମ ‘ସୋଆ ଯୁବ ସାହିତ୍ୟ ପୁରସ୍କାର’ ପାଇଁ ହେଲେ ମନୋନୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଯୁବ କବି ଓ ଲେଖକ ସୂର୍ଯ୍ୟସ୍ନାତ ତ୍ରିପାଠୀ ଚଳିତ ବର୍ଷ ଠାରୁ ପ୍ରବର୍ତ୍ତିତ ‘ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫’ର ପ୍ରଥମ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆସନ୍ତା ୩୦ ତାରିଖରେ ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେଉଥିବା ଦୁଇଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଅଧିବେଶନରେ ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଭୁବନେଶ୍ୱରର ବର୍ଷା ପ୍ରକାଶନୀ ପକ୍ଷରୁ ଗତବର୍ଷ ପ୍ରକାଶିତ ଶ୍ରୀ ତ୍ରିପାଠୀଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆପୁଚି ନାରଙ୍ଗ’ ନିମନ୍ତେ ସେ ଏହି ସମ୍ମାନ ପାଇବାକୁ ବିଚାରକ ମଣ୍ଡଳୀ ଦ୍ବାରା ମନୋନୀତ ହୋଇଛନ୍ତି। ଏହି ସଂକଳନରେ ୧୨ଟି ଗଳ୍ପ ରହିଛି, ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ତ୍ଵ ଓ ସମସାମୟିକ ଅନୁଭୂତି ପରିପ୍ରକାଶ କରିଛନ୍ତି। ଶ୍ରୀ ତ୍ରିପାଠୀ ଏବେ ଆଇଆଇଟି ରୁପାର୍‌ରେ ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର୍ ଭାବେ କାର୍ଯ୍ୟରତ। ୧୯୯୧ରେ ଜନ୍ମିତ ଶ୍ରୀ ତ୍ରିପାଠୀଙ୍କର ଅଦ୍ୟାବଧି ୭ଟି କବିତା ସଂକଳନ ଓ ଗୋଟିଏ କ୍ଷୁଦ୍ର ଗଳ୍ପ ସଂକଳନ ପ୍ରକାଶ ପାଇଛି। ସେ ଧରମବୀର ଭାରତୀଙ୍କ ଲିଖିତ ‘କନୁପ୍ରିୟା’ର ଓଡ଼ିଆ ଅନୁବାଦ ମଧ୍ୟ କରିଛନ୍ତି। ୨୦୧୭ରେ କେନ୍ଦ୍ର ସାହିତ୍ୟ ଅକାଦେମୀର ସମ୍ମାନଜନକ ଯୁବ ପୁରସ୍କାରରେ ସମ୍ମାନିତ ହୋଇଥିବା ଶ୍ରୀ ତ୍ରିପାଠୀ ହାଇଦ୍ରାବାଦସ୍ଥିତ ନାଟ୍ୟ ସଂସ୍ଥା ‘କାସ’, ‘କିସ୍‌ସା ଗୋ’ ଏବଂ ‘ପ୍ଲେ ଅଫ୍ ଶିବା’ ଭଳି ଅନୁଷ୍ଠାନ ନିମନ୍ତେ ବିଭିନ୍ନ ନାଟକ ସହ ‘ବୋତଲ ଅର୍ଜ ହେଁ’, ‘ଲାଷ୍ଟ ୱିସ’, ‘ଜେନେରେସନ୍ସ ଅଫ୍ ନ୍ୟୁଟନ୍’ ଭଳି ନାଟକର ସଂଳାପ ଲେଖିଛନ୍ତି। ନିକଟରେ ସେ ଓଡ଼ିଆ ସିନେମା ‘ଇନ୍ଦ୍ରଧନୁ’ ସହ ୨ଟି କ୍ଷୁଦ୍ର ଚଳଚ୍ଚିତ୍ର ‘ମାଟି ମୁହାଣ’ (ଓଡ଼ିଆ) ଏବଂ ‘ଖିଡ଼କିୟାଁ’ (ହିନ୍ଦୀ) ନିମନ୍ତେ ମଧ୍ୟ ସଂଳାପ ରଚନା କରିଛନ୍ତି। ପୁରସ୍କାର ଆକାରରେ ଶ୍ରୀ ତ୍ରିପାଠୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର, ରୌପ୍ୟ ଫଳକ ଓ ଉତ୍ତରୀୟ ପ୍ରଦାନ କରାଯିବ। ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ଚିନ୍ତକ ଜାଭେଦ ଅଖତରଙ୍କୁ ଭାରତୀୟ ସିନେମା ଓ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଓ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ-୨୦୨୫ରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.