‘ଏକତା ପାଇଁ ଦୌଡ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରା ଦୀର୍ଘ ୧୦ କି.ମି. ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ‘ଏକତା ପାଇଁ ଦୌଡ଼’ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଗସ୍ତରେ ଆସି ନୀଳଗିରି ମହାବିଦ୍ୟାଳୟ ଠାରେ ନିର୍ମିତ ଅସ୍ଥାୟୀ ହେଲିପେଡରେ ଅବତରଣ ପରେ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପରେ ଏକତା ପାଇଁ ଦୌଡ଼ ଆୟୋଜିତ କାର୍ଯ୍ୟକ୍ରମ ସ୍ଥାନୀୟ ପୋଲିସ ପଡିଆରେ ଅନ୍ୟାନ୍ୟ ବରେଣ୍ୟ ଅତିଥିମାନଙ୍କ ଗହଣରେ ପହଞ୍ଚିଥିଲେ।

ଏହି ଐତିହାସିକ କାର୍ଯ୍ୟକ୍ରମ ଶୁଭାରମ୍ଭ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଅନ୍ୟାନ୍ୟ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା, ରାଜ୍ୟ ମହିଳା କମିଶନର୍ ଶ୍ରୀମତୀ ଶୋଭନା ମହାନ୍ତି, ବରିଷ୍ଠ ବୁଦ୍ଧିଜୀବୀ ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ବୁଦ୍ଧିଜୀବି ଡ଼ା. ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମଞ୍ଚାସୀନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସମସ୍ତ ବରେଣ୍ୟ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ଜଳାଇବା ସଙ୍ଗେ ସଙ୍ଗେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉକ୍ତ ଉତ୍ସବରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ,ଦର୍ଶନ ଏବଂ ରାଷ୍ଟ୍ର ନିର୍ମାଣର ପୁରୋଧା ସଂପର୍କରେ ଆଲୋକପାତ କରିଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ଇତିହାସ ସଂପର୍କରେ ସ୍ମୃତି ଚାରଣ କରିବା ସହିତ ୫୬୫ ଗଡ଼ଜାତ ମଧ୍ୟରୁ ସର୍ବାଗ୍ରେ ନୀଳଗିରି ଭାରତ ବର୍ଷରେ ମିଶ୍ରଣ କରିବାରେ ଲୌହ ମାନବଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନୀଳଗିରିର ମର୍ଯ୍ୟାଦା ପାଇଁ ଆଇ. ଏନ.ଏସ.ନୀଳଗିରି ନାମରେ ଯୁଦ୍ଧ ଜାହାଜ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ। ଆଜିର ଏହି ପଦଯାତ୍ରାର ଶୁଭାରମ୍ଭ ନିମନ୍ତେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ କି ଏକତା ପାଇଁ ଦୌଡ ବା ପଦଯାତ୍ରା ସାଧାରଣ ପଦଯାତ୍ରା ନୁହେଁ । ଏହା ସମସ୍ତ ଭାରତୀୟଙ୍କ ଜାତୀୟତା ବୋଧର ପ୍ରତୀକ, ଦେଶକୁ ଅଖଣ୍ଡ ରଖିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ।ଆଜି ନୀଳଗିରିର ଭୌଗୋଳିକ ଅବସ୍ଥିତି ଜନଶକ୍ତିର ଆଧାର ଜନଚେତନର ସ୍ପନ୍ଦନ।ନୀଳଗିରି ପ୍ରଜା ଆନ୍ଦୋଳନର ଇତିହାସ, ବ୍ରିଟିଶ ଶାସକଙ୍କ ଅନ୍ୟାୟ,ଅତ୍ୟାଚାର, ଶୋଷଣ ବିରୋଧରେ ଆନ୍ଦୋଳନରେ ସମୂହ ସଙ୍ଗବୋଧ ସଂଗ୍ରାମ ସଂପର୍କରେ ଏକତାର ଗାଥା ବହନ କରିଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ସେ ନାଗରିକତାର ଶପଥ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ବକ୍ତବ୍ୟରେ କହିଥିଲେ କି ଆଜି ଆମେ ବିଜ୍ଞାନ କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଜ୍ଞାନ, ଯୁବ ସମାଜ ଦେଶ ଗଢିବାରେ ଅଗ୍ରଣୀ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।

ଶେଷରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସମସ୍ତଙ୍କ କାର୍ଯ୍ୟକ୍ରମ ସଫଳତା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପଦଯାତ୍ରା ଶୁଭ ଉଦ୍ଘାଟନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀଳଗିରି ଠାରୁ ମିତ୍ରପୁର୍ ପର୍ଯ୍ୟନ୍ତ ଦୀର୍ଘ ୯ କି.ମି. ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ପଦଯାତ୍ରାରେ ସହସ୍ରାଧିକ ଛାତ୍ର ଛାତ୍ରୀ, ଯୁବ ବର୍ଗ, ସାଧାରଣ ଜନତା ,ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ୧୦୦ ମିଟର ଲମ୍ବର ଜାତୀୟ ପତାକାର ଶୋଭା ବର୍ଦ୍ଧନ କରିଥିଲା। ଏହି କାର୍ଯ୍ୟକ୍ରମକୁ ମିତ୍ରପୁର୍ ପର୍ଯ୍ୟନ୍ତ ଆୟୋଜିତ ପଥରେ ଧୋବ ଶିଳା, କେନ୍ଦୁଖୁଣ୍ଟା ଏବଂ ମିତ୍ରପୁର ଠାରେ ସମାପନ ହୋଇଥିଲା। ଉକ୍ତ ସମାପନ ଉତ୍ସବ ସ୍ଥଳରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ ବଡ଼ସାହି ବିଧାୟକ ସନାତନ ବିଜୁଳି, ବରିଷ୍ଠ ବୁଦ୍ଧିଜୀବି ଶ୍ରୀଯୁକ୍ତ ବେହେରା, ଡ଼ା. ଶ୍ରୀଯୁକ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ଉପସ୍ଥିତ ସମସ୍ତଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବରେ ଆଲୋକପାତ କରିବା ସହିତ ସମଗ୍ର ରାଷ୍ଟ୍ରର ସଂସଦୀୟ କ୍ଷେତ୍ର ମାନଙ୍କରେ ଏହି ଭଳି ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି ଏବଂ ବାଲେଶ୍ୱର ଜିଲ୍ଲାରେ ଅନ୍ୟ ଦୁଇ ଗୋଟି ସ୍ଥାନରେ ଆୟୋଜନ ହେବାର ସିଦ୍ଧାନ୍ତ ସଂପର୍କରେ ଅବଗତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.