ତୁଳାଗାଁ, ମାଣ୍ଡେଲ ଓ ନର୍ଲାରୋଡରେ ଦେଶୀ ମଦର ଉଜାଣି ଶ୍ରୋତ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାଗାଁ ଓ ନର୍ଲାରୋଡ ଦେଶୀ ମଦପାଉଚ ର ହବ ପାଲଟିଛି। ଘରେ ଘରେ “କୁଠୀ” କରାଯାଇ ବିକ୍ରୟ ହେଉଛି ମଦ ପାଉଚ। ଦେଶୀ ମଦ ଭାଟି ନର୍ଲା ଚାରି ଛକରେ ରହିଥିବାରୁ ତୁଳା ଗାଁ, ମାଣ୍ଡେଲ, ସର୍ଗୀଗୁଡା (ଡିଗିରାପଡ଼ା), ନର୍ଲାରୋଡ ପ୍ରଭୃତି ସ୍ଥାନରୁ ଏହା ମାତ୍ର ଦେଢ଼ ରୁ ଦୁଇ କିଲୋମିଟର ମଧ୍ୟରେ ରହୁଛି ବ୍ୟବଧାନ। ଏଣୁ ଦେଶୀ ମଦ ଭାଟି ଆଖ ପାଖରେ ରହୁଥିବା ଉପରୋକ୍ତ ଗାଁ ଗୁଡ଼ିକର “କୁଠୀ” ଚଲାଉଥିବ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଅନେକ ସୁବିଧା ହେଉଥିବା ଜଣା ପଡ଼ିଛି । ତୁଳା ଗାଁ ଆରମ୍ଭ ରେଳ ଫାଟକ ବରଗଛ ରଣାପଡ଼ା ରୁ ଆରମ୍ଭ କରି ଗାଁ ମଧ୍ୟରେ ଏଭଳି ୪ ରୁ ଉର୍ଦ୍ଧ୍ବ ସ୍ଥାନରେ ଚାଲିଛି ଦେଶୀ “ମଦ କୁଠୀ”। ସେହିଭଳି ବାଙ୍କେଲ ଗାଁ ଭିତରେ ୨ ଗୋଟି ଓ ବିଅଁର ପଡ଼ା ଜଙ୍ଗଲ ଯିବା ରାସ୍ତାରେ ଗୋଟିଏ ଏଭଳି ସମୁଦାୟ ଚାଲିଛି ୩ ଗୋଟି “ମଦ କୁଠୀ”। ମାଣ୍ଡେଲ ଗାଁ ମୁଣ୍ଡ ଆରମ୍ଭ ରୁ ତ୍ରିନାଥ ମନ୍ଦିର ମଧ୍ୟରେ ୪ ଗୋଟି “ମଦ କୁଠୀ” ଚାଲୁଥିବା ବେଳେ ସର୍ଗୀଗୁଡ଼ା ଡିଗିରାପଡ଼ା ରେ ଚାଲୁଛି ସଂଖ୍ୟାଧିକ “ମଦ କୁଠୀ”। ସେହିଭଳି ନର୍ଲାରୋଡ ହନୁମାନ ମନ୍ଦିର ଛକ, ଷ୍ଟେସନ ଛକ, ଷ୍ଟେସନ ରାସ୍ତା ଓ ହୋଟେଲ ବିକ୍ରମ ଆଖ ପାଖରେ ପ୍ରତି ଚା ପାନ ଦୋକାନରେ ଚାଲିଛି ଦେଶୀ “ମଦ କୁଠୀ”। ଶ୍ରମିକ ଶ୍ରେଣୀର ଲୋକେ ଦିନ ତମାମ ପରିଶ୍ରମ କରି ଉପାର୍ଜନ କରୁଥିବା ୩୦୦ ଟଙ୍କାରେ ପରିବାର ପ୍ରତି ପୋଷଣ କରିବେ କଣ ? ଏହି “ମଦ କୁଠୀ” ପରିଚାଳକଙ୍କ ମାୟା ଜାଲରେ ପଡି “କୁଠୀ”ରେ ଦେଶୀ ମଦ ପାଉଚ ପିଇ ସାରି ଦେଉଛନ୍ତି କଷ୍ଟୋପାର୍ଜିତ ପାରିଶ୍ରମିକ ଟଙ୍କା । ଏପଟେ ମାତାଲ ହୋଇ ଖାଲି ହାତରେ ଘରକୁ ଗଲେ ପରିବାର ସହିତ ଆରମ୍ଭ ହେଉଛି ଖଣ୍ଡ ଯୁଦ୍ଧ । ପରିବାରରେ ଆଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଏଥିରୁ ଯୁବ ପିଢୀ ଏପରିକି ଛାତ୍ର ଛାତ୍ରୀ ମାନେ ମଧ୍ୟ ବାଦ ପଡୁ ନାହାନ୍ତି । ଭାଟିକୁ ମଦ ପିଇବା ପାଇଁ ଗଲେ ଲୋକ ଲୋଚନକୁ ଆସୁଥିବାରୁ ହାତ ପାଆନ୍ତାରେ ଗାଁ କୁଠୀ ରେ ସୁବିଧାରେ ମଦ ପାଉଚ ମିଳୁଥିବାରୁ ସରଳ ଓ ସୁବିଧାରେ ପିଇ ଧୀରେ ଧୀରେ ଏହାସହ ଅଭ୍ୟସ୍ତ ହୋଇ ଛାତ୍ର ଓ ଯୁବ ପିଢୀ ବିପଥଗାମୀ ହେଉଥିବା ଜଣାପଡ଼ିଛି । ୨୭ ଟଙ୍କାରେ ଦେଶୀ ମଦ ଭାଟିରେ ମିଳୁଥିବା ୧୫୦ ମିଲି ଲିଟର ର ମାଛ ମୁଣ୍ଡ ଚିହ୍ନ ରହିତ ପାଉଚ ପାକେଟ କୁ ଆଣି କୁଠୀ ବାଲା ୩୫ ରୁ ୪୦ ଟଙ୍କାରେ ବିକି ମାଲାମାଲ ହେଉଥିବା ବେଳେ ଏଥିପାଇଁ କେତେ ଦୀନ ମଜୁରିଆ, ଶ୍ରମଜୀବୀଙ୍କ ପରିବାର ଉଜୁଡ଼ି ଯାଉଛି ତାହା ଅତି ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି । ପ୍ରତି କୁଠୀ ଓ ଚା’ ପାନ ଦୋକାନୀ ମାନେ ଏହି ମଦ ପାଉଚ ବ୍ୟବସାୟ ରେ ପ୍ରତ୍ୟହ ୧୦୦ ରୁ ଉର୍ଦ୍ଧ୍ବ ପାଉଚ ବିକି ୧୦୦୦ ରୁ ୨୦୦୦ ଟଙ୍କା ଲାଭ ପାଉଥିବା ଜଣା ପଡିଛି । ମଦ ପିଇବା ବେଳେ ମଦୁଆ ମାନଙ୍କୁ ବିଡି, ସିଗାରେଟ, ପାନ, ପୁଡିଆ ଓ ଚାଖନା ଆବଶ୍ୟକ ପଡୁଥିବାରୁ ଚା, ପାନ ଦୋକାନ କରି ମଦୁଆଙ୍କୁ ଏସବୁ ମଧ୍ୟ ଯୋଗାଇ “କୁଠୀ ବାଲା” ମାନେ ଭଲ ଦୁଇ ପଇସା ରୋଜଗାର କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ନୂଆ ସରକାର ମଦ ବ୍ୟବସାୟୀଙ୍କ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଭିମୁଖ୍ୟ ରଖିଥିବା ବେଳେ ନର୍ଲା ପୋଲିସ ଓ ନର୍ଲା ଅବକାରୀ ବିଭାଗର ନାକ ତଳେ ବେଆଇନ ଭାବରେ ଅବୈଧ”ମଦ କୁଠୀ” ଗୁଡ଼ିକ ଚାଲୁଛି । ଏହା ଯୁବ ପୀଢ଼ି ଓ ଛାତ୍ରଙ୍କୁ ବିପଥଗାମୀ କରିବା ସହିତ ଗରୀବର ପାରିବାର ଗୁଡ଼ିକୁ ଉଜାଡୁଛି । “ମଦ କୁଠୀ” ପରିଚାଳକ ମାନେ ବାହାସ୍ଫୋଟ ମାରି କହୁଛନ୍ତି ଆମେ ପ୍ରତି ମାସରେ ପୋଲିସ ଓ ଅବକାରୀ ବାଲାଙ୍କ କଥା ବୁଝୁଛୁ ଏଵଂ ବିନ୍ଦାସ ରେ ଧନ୍ଦା କରୁଛୁ । ଆମର କିଏ କଣ ବିଗାଡ଼ିବ ବୋଲି? ଏଥିପ୍ରତି ନୂଆ ସରକାର, ଉଚ୍ଚ ପଦସ୍ଥ ଅଧିକାରୀ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଯୁବ ପିଢୀ ଓ ଛାତ୍ର ମାନଙ୍କୁ ବିପଥଗାମୀ ହେବାରୁ ନିବୃତ କରନ୍ତୁ ଓ ଦୀନ ମଜୁରିଆ ମାନଙ୍କ ସଂସାର ଉଜୁଡ଼ିବାରୁ ସେମାନଙ୍କୁ ବଞ୍ଚାନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।





