ଫଲସାପଡା ମୋତିରାମ ମେହେର ମୃତ୍ୟୁ ଘଟଣା; ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ବେହେରା ଫଲସାପଡା ଗ୍ରାମର ମୋତିରାମ ମେହେରଙ୍କ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏବଂ ମୋତିରାମଙ୍କୁ ଆକ୍ରମଣ କରିଥିବା ସମ୍ପୃକ୍ତ ଯୁବକ ମାନଙ୍କୁ ତୁରନ୍ତ ଗିରଫ୍ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ବେହେରା ବିଦେଶୀ ମଦ ଦୋକାନ ସମ୍ମୁଖରେ ବେହେରା ଗ୍ରାମର ୩ ଜଣ ଯୁବକ ବଳପୂର୍ବକ ମୋତିରାମ ଙ୍କୁ ମଦ ମାଗିବାକୁ କହିଥିଲେ। ମୃତ ଯୁବକ ମୋତିରାମ ପାଖରେ ଟଙ୍କା ନଥିବା କହି ସେମାନଙ୍କୁ ମନା କରି ଦେବାରୁ ଉତକ୍ଷିପ୍ତ ହୋଇ ଭଙ୍ଗା ମଦ ବୋତଲରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥି ସହିତ ତାଙ୍କ ମୋବାଇଲ୍ ଭାଙ୍ଗିଦେବା ସହ କିଛି ଟଙ୍କା ଛଡ଼ାଇ ନେଇଥିଲେ। ମାରପିଟ୍ ଯୋଗୁଁ ମୋତିରାମଙ୍କ ବିଭିନ୍ନ ସ୍ଥାନରେ କ୍ଷତ ହୋଇ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ମୋତିରାମ ଗତ ୨୭ ତାରିଖରେ କୋକସରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଏବଂ ମେଡିକାଲରେ ଚିକିତ୍ସା ମଧ୍ୟ ହୋଇଥିଲେ। ତେବେ ଏହାର କିଛିଦିନ ତଳେ ମୋତିରାମ ଅସୁସ୍ଥ ହେବାରୁ ନିକଟସ୍ଥ ଧର୍ମଗଡ଼ ମେଡିକାଲ, ବୁର୍ଲା ମେଡ଼ିକାଲ ଓ ପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପରିବାର ଲୋକେ ଭର୍ତ୍ତି କରିଥିଲେ। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୋତିରାମଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ସେଠାରୁ ମୃତକଙ୍କ ଶବ ଘରେ ଆଣିବା ପରେ ପରିବାର ଲୋକେ କୋକସରା ଥାନା ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଗାଁରେ ପହଞ୍ଚି ଶବ ଜବତ କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ମୋତିରାମଙ୍କୁ ଆକ୍ରମଣ କରିଥିବା ସମ୍ପୃକ୍ତ ଯୁବକ ମାନଙ୍କୁ ଗିରଫ କରିବା ଦାବି କରି ମେଡିକାଲ ପରିସରରେ ଶବ ରଖି ପରିବାର ଲୋକେ କିଛି ସମୟ ଧରି ଅଡ଼ିବସିଥିଲେ। କୋକସରା ଥାନା ଅଧିକାରୀ ଜୟପ୍ରକାଶ ନାରାୟଣ ହୋତା ଅନେକ ସମୟ ଧରି ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇବା ସହିତ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ସେଠାରୁ ଶବ ନେଇଥିଲେ। ଅନ୍ୟପଟେ ସମ୍ପୃକ୍ତ ଯୁବକ ମାନେ ଫେରାର ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.