ଟିଚର୍ ପ୍ରିମିୟର ଲିଗ ସିଜନ୍-୨ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ମିନି ଷ୍ଟାଡିୟମ୍ ଠାରେ ଶୁକ୍ରବାର ଦିନ ଟିଚର ପ୍ରିମିୟର ଲିଗ୍ (TPL) କଲମପୁର ସିଜନ୍ -୨ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୁଳମଣି ମାଝୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରି ଶ୍ରୀଯୁକ୍ତ ଦିଲୀପ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କଲମପୁର ବ୍ଲକ୍ ଅଧୀନରେ ଥିବା ସମସ୍ତ ଶିକ୍ଷକ ଉକ୍ତ ପ୍ରିମିୟର ଲିଗ୍ ଆୟୋଜନ କରିଛନ୍ତି। ୬ ଟି କ୍ଲଷ୍ଟରରୁ ୬ ଗୋଟି ଟିମ୍ ଏଥିରେ ଭାଗ ନେଇଥିବା ବେଳେ ଏହି ଟୁର୍ଣାମେଣ୍ଟ ତିନି ଦିନ ଧରି ଚାଲିବ ଓ ରବିବାର ଦିନ ଉଦଯାପିତ ହେବ। ପ୍ରଥମ ଦିବସରେ ତିନିଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍ ଲାଇଅନ୍ସ ଏଲେଭେନ୍ କଲମପୁର ଓ ହଣ୍ଟର ଏଲେଭେନ୍ ବରଗାଁ ସହିତ ହୋଇଥିଲା। ଏହି ମ୍ୟାଚ୍ ରେ ହଣ୍ଟର ଏଲେଭେନ୍ ବରଗାଁ ୩୪ ରନ ରେ ବିଜୟ ହୋଇଥିଲା। ସୁଶିଲ କୁମାର ସାହୁ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ। ପ୍ରଥମ ଖେଳ ହେବା ସମୟରେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି ମଞ୍ଚରେ ଉପସ୍ଥିତ ରହି ଖେଳ ର ଆନନ୍ଦ ନେବା ସହ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଦ୍ଵିତୀୟ ମ୍ୟାଚ୍ ମାର୍ବଲ ଏଲେଭେନ୍ ମଣ୍ଡଳ ଓ ବ୍ଲାଷ୍ଟର ଏଲେଭେନ୍ ମିନଗୁର ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ରେ ବ୍ଲାଷ୍ଟର ଏଲେଭେନ୍ ମିନଗୁର ୫୬ ରନ୍ ରେ ବିଜୟୀ ହୋଇଥିଲା। ମ୍ୟାନ ଅଫ ଦି ମ୍ୟାଚ୍ ଚନ୍ଦ୍ରମଣି ସାହୁ ହୋଇଥିଲେ। ତୃତୀୟ ମ୍ୟାଚ୍ ଲାଇଅନ୍ସ ଏଲେଭେନ୍ କଲମପୁର ଓ ଫାଇଟରସ ଏଲେଭେନ୍ ବିଜମରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ରେ ଲାଇଅନ୍ସ ଏଲେଭେନ୍ କଲମପୁର ୧୦ ରନ୍ ରେ ବିଜୟୀ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ଦେବେନ୍ଦ୍ର କୁମାର ନାଏକ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ଅଭିଭାବକ ତଥା ନାଗରିକ ମାନଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଶିକ୍ଷକ ସମାଜ ମଧ୍ୟରେ ଏକତା ସୃଷ୍ଠି କରି ସମସ୍ତଙ୍କ ମଧ୍ୟରେ ଖେଳିବାର ମନୋଭାବ କୁ ଉଜ୍ଜୀବିତ କରିବା ଏହି ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ ବୋଲି ବରିଷ୍ଠ ଶିକ୍ଷକମାନେ ମତପୋଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.