ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବାଲେଶ୍ଵର ଠାରେ ପାଳିତ ହେଲା ବିଶ୍ବ ଡାଇବେଟିସ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ବ ଡାଇବେଟିସ ଦିବସ -୨୦୨୫ ଉପଲକ୍ଷେ ଜିଲ୍ଲା ସ୍ଵାସ୍ଥ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ବିଶ୍ବ ଡାଇବେଟିସ ଦିବସର ବିଷୟବସ୍ତୁ ଥିଲା ‘ଡାଇବେଟିସ ଏବଂ ସୁସ୍ଥତା’ (Diabetes & Wellbeing)

ଏହି ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରିଣୀ ଏବଂ ଜିଲ୍ଲା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ରର ଅଧ୍ୟୟନ ରତ ଛାତ୍ରୀମାନେ ଉପସ୍ଥିତ ଥିଲେ।

ସଭାପତି ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ 3P (ଅଳ୍ପ ପରିସ୍ରା, ଅତ୍ୟଧିକ ଶୋଷ, ଅତ୍ୟଧିକ ଭୋକ ) ଏବଂ 3D (ଶୃଙ୍ଖଳିତ ଜୀବନଚର୍ଯା, ସନ୍ତୁଳିତ ଖାଦ୍ୟ, ଔଷଧ) ଉପରେ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଗୋଷ୍ଠୀ ସ୍ତରରେ ୩୦ ବର୍ଷ ପୂରଣ କରିଥିବା ସମସ୍ତ ଜନସାଧାରଣଙ୍କର ରକ୍ତ ପରୀକ୍ଷା ଏବଂ ଆଲୋଚନା ଦ୍ବାରା ଏହି ରୋଗକୁ ପ୍ରତିହତ କରାଯାଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ।

ଡ଼ାକ୍ତର ମନୋଜ ସାହୁ କେଉଁ ଖାଦ୍ୟରେ କେତେ ପରିମାଣରେ ସୁଗାର ବା ଶର୍କରା ରହୁଛି ଏବଂ ଖାଦ୍ୟରେ ଭାତ ଏବଂ ରୁଟିକୁ ଅଳ୍ପ ପରିମାଣ ନେଇ ତତ୍ ସହିତ ସବୁଜ ପରିବା, ଶାଗ ଏବଂ ସାଲାଡ଼କୁ ବହୁ ପରିମାଣରେ ଖାଇବାକୁ ଉପଦେଶ ଦେଇଥିଲେ। ଡ଼ାକ୍ତର ସୂର୍ଯ୍ୟ ପ୍ରକାଶ ରାଉତ ରଏ ABCD (ସଚେତନତା, ରକ୍ତ ଚାପ, କୋଲେଷ୍ଟରାଲ, ଔଷଧ) ସହିତ ଚିନ୍ତା ପରିହାର ଉପରେ ଗୁରୁତ୍ୱାରୋପ କରିଥିଲେ।

ସଭାରେ ଡ଼ାକ୍ତର ପ୍ରଦୀପ କର (ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ), ଡ଼ାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଡ଼ାକ୍ତର ସଞ୍ଜୀବ କୁମାର ପ୍ରଧାନ ଡାଇବେଟିସର ସଚେତନତା ଓ ପ୍ରତିରୋଧ ଉପାୟ ଉପରେ ମତ ବ୍ୟକ୍ତ କରିଥିଲେ। ସଭା ଶେଷରେ ଅଣ ସଂକ୍ରାମକ ରୋଗ (ଡାଇବେଟିସ) ବିଷୟରେ ଗୋଷ୍ଠୀ ସ୍ତରରେ ଅଧିକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା।

ଭାରପ୍ରାପ୍ତ ଜିଲ୍ଲା ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଅଣ ସଂକ୍ରାମକ ଉପଦେଷ୍ଟା ମୌସୁମୀ ସାମଲ ସମସଙ୍କୁ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.