ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସମାଜରେ ଯୌତୁକ ନିର୍ଯାତନାରୁ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଥିବା ଆଇନ୍ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରୀମାନଙ୍କ ସୁରକ୍ଷା ଓ ନିରାପଦ ଜୀବନଯାପନ ପାଇଁ ସରକାର ନେଉଥିବା ପଦକ୍ଷେପ ବିଷୟରେ ତାଲିମ୍ ଦିଆଯାଇଥିଲା । ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଅଧ୍ୟକ୍ଷତା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆ ଯାଉଥିବା ପଦକ୍ଷେପ ମଧ୍ୟରେ “ଯୌତୁକ ନିଷେଧ ଅଧିନିୟମ-୧୯୬୧” ସମ୍ପର୍କରେ ଆଲୋକପାତ କରିଥିଲେ। ଉପ-ଆରକ୍ଷୀ ଅଧିକ୍ଷକ ଅନିତା ମଙ୍ଗରାଜ ସଂଶୋଧନ ବିଶେଷଜ୍ଞ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ DLSA ର କର୍ମକର୍ତ୍ତା, ଆଇ.ସି.ଡିଏସ୍ ଅଧିକାରୀ ସ୍ୱପ୍ନା ପ୍ରହରାଜ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସଖୀ O.S.C. କର୍ମଚାରୀ, ଶକ୍ତି ସଦନ କର୍ମଚାରୀ, DHEWର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରୋଟେକ୍ସନ ଅଧିକାରୀ ଯୁଥିକା ରାଣୀ ରାୟ ଧନ୍ୟବାଦ ଅର୍ପଣ କରି ତାଲିମ୍ ଶିବିରକୁ ଉଦଯାପିତ କରିଥିଲେ।





