ଜୁନାଗଡ଼ ଠାରେ ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଗ୍ରସେନ ଭବନ ଜୁନାଗଡ଼ ଠାରେ ରବିବାର ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ନେତୃତ୍ଵରେ ଏବଂ ଜୁନାଗଡ଼ ସାମ୍ବାଦିକ ୟୁନିଅନର ସହଯୋଗରେ ଏହି ରାଜ୍ୟସ୍ତରୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ସ୍ବତନ୍ତ୍ର ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତି, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜୁନାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ମେହେର, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବିଶିଷ୍ଟ ସମାଜସେବୀ ଦୁର୍ଗାପ୍ରସାଦ ନାଏକ, ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ୟୁନିଅନ ସଭାପତି ବଦ୍ରି ନାରାୟଣ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର, ବରିଷ୍ଠ ସାମ୍ବାଦିକ ଇଙ୍ଗିତ କୁମାର ପଣ୍ଡା  ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାମ୍ବାଦିକ ସୁରକ୍ଷା ଆଇନ, ପେନସନ ବ୍ୟବସ୍ଥା, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ଭବନ ନିର୍ମାଣ ଆଦି ଉପରେ ଦାବି ହୋଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଖଗେଶ୍ବର ଧଙ୍ଗଡାମାଝୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ହିମାଂଶୁ ଶେଖର ବରାଡ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ପୂର୍ବତନ ସମ୍ପାଦକ ସ୍ବର୍ଗତ ପ୍ରଭାକର ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଗୋଟିଏ  ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘ମିଛ ଖବର: ସାମ୍ବାଦିକତାରେ ବିଶ୍ୱସନୀୟତାର ପରିପନ୍ଥି’ ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଏଥିରେ ଅନେକ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ଏହି ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସାମ୍ବାଦିକ ଅଭିରାମ ନନ୍ଦ, ଶଙ୍କର୍ଷଣ ବେହେରା, ଏମ. ଚନ୍ଦ୍ର ଶେଖର, ଶିବାନନ୍ଦ ନାଏକ, ବିକ୍ରମାଦିତ୍ୟ ସିଂହଦେଓ, ସମାଜସେବୀ ଦୁର୍ଗା ପ୍ରସାଦ ନାଏକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅତିଥିବୃନ୍ଦ। ଏହି ଅବସରରେ ଅନ୍ୟ ସଂଘରୁ ୧୦ ଜଣ ନୂତନ ସଦସ୍ୟ ଓୟୁଜେର ସଦସ୍ୟତା ଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରୁ ଓୟୁଜେ ସଦସ୍ୟ/ ସଦସ୍ୟା ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜୁନାଗଡ଼ ସାମ୍ବାଦିକ ୟୁନିଅନର ସମସ୍ତ ସାମ୍ବାଦିକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.