ବାଲେଶ୍ୱରରେ ଜାତୀୟ ନବଜାତ ଶିଶୁ ଦିବସ ଓ ବିଶ୍ୱ ପ୍ରାକ ବିକଶିତ ଦିବସ ଉପଲକ୍ଷେ ଆୟୋଜିତ ହେଲା ସଚେତନତା ସଭା

ଓଡ଼ିଆ ବାର୍ତ୍ତା/ ବାଲେଶର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଆଜି ଜିଲ୍ଲା ତାଲିମ୍ ପ୍ରକୋଷ୍ଠରେ ଜାତୀୟ ନବଜାତ ଶିଶୁ ଦିବସ ଓ ବିଶ୍ୱ ପ୍ରାକ ବିକଶିତ ଦିବସ – ୨୦୨୫ ଉପଲକ୍ଷେ ସଚେତନତା ସଭା ଆୟୋଜିତ ହୋଇଯାଇଛି। ଏ ବର୍ଷର ଜାତୀୟ ନବଜାତ ଶିଶୁ ଦିବସର ବିଷୟବସ୍ତୁ ଥିଲା “ନବଜାତ ସୁରକ୍ଷା: ପ୍ରତ୍ୟେକ ଶିଶୁ ପାଇଁ, ପ୍ରତିଥର, ପ୍ରତିଟି ସ୍ପର୍ଶରେ”।

ଏହି ସଭାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ( ଡି ଏମ ଓ) ଅମୂଲ୍ୟ କୁମାର ଦାସ ସଭାପତିତ୍ୱ କରିଥିଲେ। ସହରାଞ୍ଚଳର ବିଭିନ୍ନ ପ୍ରାଥମିକ ଓ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଆସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଏବଂ ପ୍ରସୂତି ମାଆମାନେ ସଭାରେ ଉପସ୍ଥିତ ଥିଲେ।

ସଭାପତି ଶ୍ରୀ ଦାସ ନବଜାତ ଶିଶୁଙ୍କ ମୃତ୍ୟୁରେ ନିମୋନିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବିଷୟ ଉଲ୍ଲେଖ କରି ଜନ୍ମରୁ ଅଠେଇଶ ଦିନ ପର୍ଯ୍ୟନ୍ତ ବିଶେଷ ଯତ୍ନର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ‘ଶୂନ୍ୟ ଶିଶୁ ମୃତ୍ୟୁ’ ଲକ୍ଷ୍ୟ ପ୍ରାପ୍ତି ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ମଧ୍ୟ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ ।

ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମିନାକ୍ଷୀ ରାୟ ନବଜାତ ଶିଶୁଙ୍କୁ ଜନ୍ମରୁ ୨୮ ଦିନ ମଧ୍ୟରେ ଗାଧୋଇବା କିମ୍ବା ଟିଶୁ ପେପର୍ ଦ୍ୱାରା ପୋଛିବାର ଅପକାରିତା ବ୍ୟାଖ୍ୟା କରି, ଏଥିରୁ ଇନଫେକ୍ସନ୍ ଓ ନିମୋନିଆର ସମ୍ଭାବନା ବୃଦ୍ଧି ପାଏ ବୋଲି ସଚେତନ କରାଇଥିଲେ। ସେ ମାଆ କ୍ଷୀର ୬ ମାସ ପର୍ଯ୍ୟନ୍ତ କେବଳ ଶିଶୁକୁ ଦେବା ପାଇଁ ସମସ୍ତ ମାଆଙ୍କୁ ଉପଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ୦–୨ ମାସର ଶିଶୁର ଶ୍ୱାସ ଗତି ମିନିଟକୁ ୬୦ ବା ଅଧିକ, ୨ ମାସ – ୧ ବର୍ଷ ଶିଶୁର ୫୦ ବା ଅଧିକ, ୧ ବର୍ଷରୁ ଅଧିକ ଶିଶୁର ଶ୍ଵାସ ଗତି ମିନିଟକୁ ୪୦ ବା ଅଧିକ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଆବଶ୍ୟକ।

ସଭାରେ ଡ଼ାକ୍ତର ପ୍ରଦୀପ କର (ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ), ଡ଼ାକ୍ତର ସଞ୍ଜୀବ କୁମାର ପ୍ରଧାନ (ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ – କୁଷ୍ଠ), ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ (ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ– ପରିବାର ନିୟୋଜନ ଏବଂ ଟୀକାକରଣ), ଡାକ୍ତର ସୁଜିତ୍ ନାରାୟଣ ମହାପାତ୍ର ନବଜାତ ଶିଶୁଙ୍କ ମାଆର ଯତ୍ନ, ସଠିକ ସ୍ତନ୍ୟ ପାନ ପ୍ରକ୍ରିୟା, ନାଭି ନାଡ଼ର ଯତ୍ନ ଉପରେ ତାଙ୍କ ମତାମତ ପ୍ରଦାନ କରିଥିଲେ।

ସଭା ଶେଷରେ କ୍ଷେତ୍ର ସ୍ତରର ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ମାନଙ୍କୁ ଗୃହ ପରିଦର୍ଶନ ବୃଦ୍ଧି, ଶିଶୁ ସୁରକ୍ଷା ବିଷୟରେ ଗୋଷ୍ଠୀ ସ୍ତରର ସଚେତନତା ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମଟି ପ୍ରଦୀପ କୁମାର ସାହୁ (ଭାରପ୍ରାପ୍ତ ଜିଲ୍ଲା ଯୋଗାଯୋଗ ଅଧିକାରୀ)ଙ୍କ ସଫଳ ପରିଚାଳନାରେ ସମ୍ପନ୍ନ ହୋଇଥିବା ବେଳେ ଡିଏମଆରସିଏଚ୍ ଜିତେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଜଣାଇ ସଭାର ଶେଷ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.